Categories: ଜାତୀୟ

ବାପା ହେଲେ କ’ଣ ହେଲା, ଆଇନ ଊର୍ଦ୍ଧ୍ୱରେ କେହି ନୁହନ୍ତି

ରାୟପୁର,୫।୯: ବ୍ରାହ୍ମଣମାନଙ୍କୁ ବାସନ୍ଦ କରିବା ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲ। ଏଥି ଯୋଗୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ନିକଟରେ ଉତ୍ତରପ୍ରଦେଶ ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶଙ୍କ ବାପା କହିଥିଲେ, ବ୍ରାହ୍ମଣମାନଙ୍କୁ ଗାଁରେ ପୂରେଇ ନ ଦେବା ପାଇଁ ମୁଁ ଗ୍ରାମବାସୀଙ୍କୁ ଆହ୍ବାନ ଦେଉଛି। ସେମାନଙ୍କ ବାସନ୍ଦ କରିବା ପାଇଁ ମୁଁ ଅନ୍ୟ ସମ୍ପ୍ରଦାୟ ସହ ଆଲୋଚନା କରିବି। ସେମାନଙ୍କୁ ଭୋଲଗା ନଦୀ କୂଳକୁ ଫେରିବାକୁ ପଡ଼ିବ। ଏଭଳି ମନ୍ତବ୍ୟ ଲାଗି ସିନିୟର ବାଘେଲଙ୍କ ବିରୋଧରେ ସର୍ବ ବ୍ରାହ୍ମିଣ ସମାଜ ପକ୍ଷରୁ ଡିଡି ନଗର ଥାନାରେ ଶନିବାର ରାତିରେ ଅଭିଯୋଗ କରାଯାଇଥିଲା।

ଏ ଘଟଣା ଉପରେ ମୁଖ୍ୟମନ୍ତ୍ରୀ ଭୁପେଶ କହିଛନ୍ତି, ଆଇନ ଊର୍ଦ୍ଧ୍ୱରେ କେହି ନୁହନ୍ତି। ଉକ୍ତ ବ୍ୟକ୍ତି ମୋ ବାପା, ହେଲେ କ’ଣ ହେଲା। ଛତିଶଗଡ଼ ସରକାର ପ୍ରତ୍ୟେକ ଧର୍ମ, ସମ୍ପ୍ରଦାୟ ଓ ସେମାନଙ୍କ ଭାବନକୁ ସମ୍ମାନ ଦିଏ। ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ଉପରେ ମନ୍ତବ୍ୟ ଦେଇ ମୋ ବାପା ଶାନ୍ତି ଭଙ୍ଗ କରିଛନ୍ତି। ମୁଁ ତାଙ୍କ ମନ୍ତବ୍ୟ ଲାଗି ଦୁଃଖିତ। ଆମ ରାଜନୈତିକ ମତ ଓ ବିଶ୍ୱାସ ସମାନ ନୁହେଁ। ଜଣେ ପୁଅ ଭାବେ ମୁଁ ତାଙ୍କୁ ସମ୍ମାନ କରେ, କିନ୍ତୁ ଜଣେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ଭୁଲ କ୍ଷମଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share