କିଣିଲେନି କେହି, ମାଗଣାରେ ବାଣ୍ଟିଲେ ଟମାଟୋ

କୁଆଁରମୁଣ୍ଡା,୧୭।୩: ସୁନ୍ଦରଗଡ଼ ଜିଲାର ବୀରମିତ୍ରପୁର ପୌରାଞ୍ଚଳର ବୁଧବାର ସାପ୍ତାହିକ ବଜାରରେ ଟମାଟୋ କେହି ନ କିଣିବାରୁ ଚାଷୀମାନେ ଶେଷରେ ମାଗଣା ବାଣ୍ଟିଥିବା ଦେଖିବାକୁ ମିଳିଛି। ଚାଷୀମାନେ ବଜାରକୁ ପୂର୍ବାହ୍ନ ୧୦ଟାରେ ଆସିଥିଲେ। ଦୀର୍ଘ ସମୟ ବିକ୍ରି ପାଇଁ ଅପେକ୍ଷା କରିଥିଲେ। ହେଲେ କେହି ନ ଆସିବାରୁ ଚାଷୀ ଟମାଟୋ କିଲୋ ପ୍ରତି ୨ଟଙ୍କା ବୋଲି ଘୋଷଣା କରିଥିଲେ। ହେଲେ ଏତେ ଅଳ୍ପ ମୂଲ୍ୟରେ ମଧ୍ୟ ଖାଉଟି ଟମାଟୋ କିଣି ନ ଥିଲେ। ଫଳରେ ଚାଷୀ ନିରାଶ ହୋଇ ଶେଷରେ ହାଟରେ ଲୋକଙ୍କୁ ମାଗଣାରେ ଟମାଟୋ ବାଣ୍ଟି ଥିଲେ।
ବୀରମିତ୍ରପୁର ପୌରାଞ୍ଚଳର ବୁଧବାର ଓ ରବିବାର ସାପ୍ତାହିକ ବଜାର ହୋଇଥାଏ। ଗତ ରବିବାର ସାପ୍ତାହିକ ବଜାରରେ ଟମାଟୋ କିଲୋ ୨ଟଙ୍କା ରହିଥିଲା। ତେଣୁ ଖାଉଟିମାନେ ଜଣ ପିଛା ୪/୫ କିଲୋ ଟମାଟୋ କିଣି ନେଇଥିଲେ। ତାହା ଶେଷ ହୋଇ ନ ଥିବାରୁ ବୁଧବାର ଟମାଟୋ କିଣି ନ ଥିଲେ ବୋଲି ଖାଉଟିମାନେ କହିଛନ୍ତି। କେବଳ ଟମାଟୋ ନୁହେଁ, ଅନ୍ୟାନ୍ୟ ପନିପରିବା ଯେତେବେଳେ ଅଞ୍ଚଳରେ ଅଧିକ ପରିମାଣରେ ଉତ୍ପାଦନ ହେଉଛି, ସେଗୁଡିକୁ ସଂରକ୍ଷଣ କରିବା ପାଇଁ ସରକାରୀ ଶୀତଳଭଣ୍ଡାର ନାହିଁ। ଚାଷୀମାନେ ଏହିପରି ଭାବେ ପରିବା ବାଣ୍ଟି ଦେଉଛନ୍ତି ବା ନଷ୍ଟ ହୋଇଯାଉଛି। ଏନେଇ ଚାଷୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ବାଧ୍ୟ ହେଉଛନ୍ତି।

Share