Categories: ଜାତୀୟ

ୟୁପିରେ କେହି ‘ଯାଦବ’ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ: ରାଜଭର

ନୂଆଦିଲ୍ଲୀ,୨୪।୮: ଏନଡିଏରେ ଯୋଗଦେବା ପରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓମ ପ୍ରକାଶ ରାଜଭର ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ଟାର୍ଗେଟ୍‌ କରିବାର କୌଣସି ସୁଯୋଗ ହାତଛଡା କରୁନାହାନ୍ତି। ସେ ପୁଣି ଥରେ ଏସପି ମୁଖ୍ୟଙ୍କୁ ଟାର୍ଗେଟ କରି କୌଣସି ଯାଦବ ୟୁପିରେ ମୁଖ୍ୟମନ୍ତ୍ରୀ ହେବେ ନାହିଁ ବୋଲି କହିଛନ୍ତି।
ଘୋସି ଉପନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଥିବା ଓମ ପ୍ରକାଶ ରାଜଭରଙ୍କୁ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ହେବା ବିଷୟରେ ପଚରାଯାଇଥିଲା। ଏହାର ଜବାବରେ ସେ କହିଥିଲେ, ଅଖିଳେଶ ଯାଦବ କିପରି ମୁଖ୍ୟମନ୍ତ୍ରୀ ହେବେ? କିଏ ତାଙ୍କୁ ଭୋଟ ଦେବେ …? ଉତ୍ତରପ୍ରଦେଶରେ ଅଖିଳେଶ ଯାଦବ ଏମିତି ବିହନ ବୁଣିଛନ୍ତି ଯେ କୌଣସି ‘ଯାଦବ’ ସେଠାରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ଏବେ ତାଙ୍କୁ କୌଣସି ପଟେଲ, ମୌର୍ଯ୍ୟ, ଚୌହାନ, ନିଶାଦ କିମ୍ବା ରାଜଭରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପଡିବ। ତେବେ ଯାଇ ସେ ସରକାରରେ ଆସିପାରିବେ, ନଚେତ୍‌ ସେ ବର୍ତ୍ତମାନ ସରକାରରେ ଆସିପାରିବେ ନାହିଁ।
ଏହି ସମୟରେ ଜଣେ ଖବରଦାତା ରାଜଭରଙ୍କୁ ପଚାରିଥିଲେ ଯେ, ଯଦି ସେ ଆପଣଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତି, ତେବେ ଆପଣ ତାଙ୍କ ସହ ଯିବେ କି, ଏହାର ଜବାବରେ ରାଜଭର ସ୍ପଷ୍ଟ ଭାବରେ ଅସ୍ବୀକାର କରିବା ସହ ସେ ବର୍ତ୍ତମାନ ଏସପି ସହ ଯିବେ ନାହିଁ ବୋଲି କହିଛନ୍ତି।

Share