Categories: ଜାତୀୟ

ସ୍ବାମୀଙ୍କ ସମ୍ପର୍କୀୟ ଦର୍ଶାଇ କାହାକୁ ଅଭିଯୁକ୍ତ କରାଯାଇ ପାରିବ ନାହିଁ, କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୨୨।୫ : ପାରିବାରିକ ହିଂସା ମାମଲାରେ ଦିଲ୍ଲୀର ଏକ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଅଦାଲତ କହିଛନ୍ତି ଯେ ଘରୋଇ ହିଂସା ମାମଲାରେ କୌଣସି ମହିଳା ଅତୀତ କିମ୍ବା ବର୍ତ୍ତମାନ ତାଙ୍କ ସହ ଗୋଟିଏ ଛାତ ତଳେ ରହୁ ନଥିବା ସ୍ବାମୀଙ୍କ ସମ୍ପର୍କୀୟଙ୍କ ବିରୋଧରେ ଅଭିଯୋଗ କରିପାରିବେ ନାହିଁ ତିସ ହାଜାରି କୋର୍ଟର ଅତିରିକ୍ତ ସେସନ୍ସ ଜଜ ହିମାନି ମାଲହୋତ୍ରାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଜଣେ ମହିଳା ନିଜ ନଣନ୍ଦ, ନଣନ୍ଦଙ୍କ ସ୍ବାମୀ ଏବଂ ସ୍ବାମୀଙ୍କ ମାମୁଁଙ୍କ ବିରୋଧରେ ଦାଖଲ କରିଥିବା ଘରୋଇ ହିଂସା ମାମଲାକୁ ଖାରଜ କରି ଦେଇଛନ୍ତି।

ଖଣ୍ଡପୀଠ ଦର୍ଶାଇଛନ୍ତି ଯେ ଅଭିଯୋଗକାରୀ ମହିଳା ରହୁଥିବା ଘରେ ଏହି ସଦସ୍ୟମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତି ବାସ କରନ୍ତି ନାହିଁ, ତେଣୁ ଏହି ଲୋକଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଭିତ୍ତିହୀନ । ଏହା ସହିତ ଅଦାଲତ ଘରୋଇ ହିଂସା ନିବାରଣ ଆଇନ ୨୦୦୫ର ଏକ ବିସ୍ତୃତ ବ୍ୟାଖ୍ୟା ଦେଇଛନ୍ତି ।

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଘରୋଇ ହିଂସା ଆଇନର ଧାରା ୧୨ ଅନୁଯାୟୀ ଜଣେ ମହିଳା ତାଙ୍କ ସହ ସମାନ ଛାତ ତଳେ ରହୁଥିବା କୌଣସି ସମ୍ପର୍କୀୟଙ୍କ ବିରୋଧରେ ହିଁ ଘରୋଇ ହିଂସା ଅଭିଯୋଗ କରିପାରିବେ। କେବଳ ସ୍ବାମୀଙ୍କ ସମ୍ପର୍କୀୟ ହେବା କାହାକୁ ଅଭିଯୁକ୍ତ କରିବା ପାଇଁ ଏକ ଆଧାର ହୋଇପାରିବ ନାହିଁ।

Share