ଚାନ୍ଦବାଲିବାସୀଙ୍କ ପାଇଁ କହିବାକୁ କେହି ରୋକିପାରିବେ ନାହିଁ: ବ୍ୟୋମକେଶ

ଭୁବନେଶ୍ୱର,୨୫ା୩(ବ୍ୟୁରୋ) :ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଭଦ୍ରକ ଜିଲା ବାଁଶଡ଼ା ଥାନାର ଜଣେ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର(ଏଏସଆଇ)ଙ୍କୁ ଫୋନରେ ଧମକ ଦେବା ପ୍ରସଙ୍ଗକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବିଧାନସଭାରେ ଉଠାଇଛନ୍ତି। ବୁଧବାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି, ଶାସକ ଦଳର ବିଧାୟକ ଫୋନ୍‌ରେ ଜଣେ ପୋଲିସଙ୍କୁ ଧମକ ଦେଉଛନ୍ତି। କହୁଛନ୍ତି ଯଦି ମୋ କଥା ମାନିବୁ ନାହିଁ ତୋତେ କୋରାପୁଟର ମୋଟୁକୁ ପଠାଇଦେବି। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ୧୧୫ ବିଧାୟକ ଅଛନ୍ତି ବୋଲି କ’ଣ ଲୋକଙ୍କୁ ଡରାଇବେ। ବହୁତ ଲୋକ ଦଲାଲଗିରି କରୁଛନ୍ତି। ବିଧାୟକମାନେ ଧମକାଉଥିବାରୁ ଅଫିସରମାନେ ଭୟଭୀତ ହୋଇ ରହୁଛନ୍ତିି। ଏହାର ତଦନ୍ତ କରାଯାଉ। ବିଧାୟକ ଲୋକଙ୍କୁ ଧମକାଇବା ଏବଂ ଅଶ୍ଳୀଳ ଭାଷାରେ ଗାଳି ଦେବା ଏକ ସ୍ବଚ୍ଛ ସରକାରର ନୀତି ନୁହେଁ। ଏଭଳି ଘଟଣା ଯେପରି ଭବିଷ୍ୟତରେ ନ ହେବା ଉଚିତ। ବିଶେଷକରି ବିଧାୟକମାନେ ଶାଳୀନତା ରକ୍ଷା କରିବା ଦରକାର ବୋଲି ପ୍ରଦୀପ୍ତ କହିଥିଲେ। ଏହା ଶୁଣି ବାଚସ୍ପତି ଯେତେବେଳେ ଏ ବିଷୟରେ କିଛି ଜାଣିନାହାନ୍ତି ବୋଲି କହିଲେ, ବିରୋଧୀ ଦଳ ନେତା ପୁଣି କହିଥିଲେ ଯେ, ବିଧାୟକ ଗାଳି କରିବା ଅଡିଓ ଏବେ ସବୁଆଡ଼େ ଘୂରି ବୁଲୁଛି। ତେଣୁ ଆପଣ କିପରି କହୁଛନ୍ତି ଜାଣି ନାହାନ୍ତି ବୋଲି। ଏହାର ଉତ୍ତରରେ ବାଚସ୍ପତି କହିଥିଲେ ଯେ, ଗୃହ ରାଷ୍ଟ୍ରମନ୍ତ୍ରୀ ଏଠାରେ ବସିଛନ୍ତି ଏବଂ ସରକାର ସବୁ କଥା ଶୁଣୁଛନ୍ତି। ବିରୋଧୀ ଦଳ ନେତାଙ୍କ ଅଭିଯୋଗକୁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପ୍ରବଳ ବିରୋଧ କଲେ। କହିଲେ ବିରୋଧୀ ଦଳ ନେତାଙ୍କୁ ମୁଁ ସମ୍ମାନ କରେ। ସେ ମୋ ବିରୋଧରେ ଅଭିଯୋଗ ଆଣି ଗୃହକୁ ବିଭ୍ରାନ୍ତ କରୁଛନ୍ତି। ଫୋନ୍‌ରେ ମୁଁ କହିଛି ଆମେ ବିଧାୟକ ହୋଇଛୁ। ସାଧାରଣ ଲୋକ ଆମ ପାଖକୁ ଆସିବେ। ତୁମେ ଗରିବ ଲୋକଙ୍କୁ ଧମକାଇ ପାରିବ ନାହିଁ। ଆଇନ ତା’ ବାଟରେ ଯିବ। ସାଧାରଣ ଲୋକଙ୍କୁ ହଇରାଣ କରୁଛ। ଭଦ୍ରକ ଜିଲାରେ ପୋଲିସ ଭଲ କାମ କରୁଛି। ଜଣେ ଏଏସ୍‌ଆଇ ଏମିତି କାମ କାହିଁକି କରୁଛ ବୋଲି ମୁଁ ତାଙ୍କୁ କହିଥିଲି। ବାଚସ୍ପତି ଯଦି ଚାହିଁବେ ଉକ୍ତ ଅଡିଓ ଦେଇ ପାରିବି। ଗୋଟିଏ ଗଣମାଧ୍ୟମ ତାକୁ କଟ୍‌ କରି ଦେଖାଇଛି। ମୁଁ କହିଛି ଡିଜିଙ୍କୁ କହି ବଦଳି କରିବି। ମୁଁ ତ କହିନି ବିଜେଡିକୁ ସାହାଯ୍ୟ କର। ମୁଁ ଲୋକଙ୍କ ପାଇଁ କାମ କରି ଚାଲିବି। ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଭାଜପା ବିଧାୟକ ମାଡ଼ ମାରିଲେ। ସେ ଗିରଫ ହୋଇଥିଲେ। ଚାନ୍ଦବାଲିବାସୀ ମୋତେ ବିଧାୟକ ଭାବେ ନିର୍ବାଚିତ କରିଛନ୍ତି। ମୁଁ ଚାନ୍ଦବାଲିବାସୀଙ୍କ ସୁଖ ଦୁଃଖରେ ଛିଡ଼ା ହେବି। ମୋ ସ୍ବରକୁ କେହି ଚାପିଦେଇ ପାରିବେ ନାହିଁ ବୋଲି ବ୍ୟୋମକେଶ କହିଥିଲେ। ବିରୋଧୀ ଦଳ ନେତା ପୁଣି କହିଥିଲେ, ମୋର ମଧ୍ୟ ବିଧାୟକଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଅଛି। ସମ୍ପର୍କ ତା ବାଟରେ ରହିବ। ବିଧାୟକମାନେ ପୋଲିସ କର୍ମଚାରୀଙ୍କୁ ଧମକାଇବାରୁ ନିବୃତ୍ତ ରହିବା ଆବଶ୍ୟକ ବୋଲି ପ୍ରଦୀପ୍ତ କହିଥିଲେ।

Share