ବିଜୁ, ବିକାଶ ଭବନରେ ନିୟମକୁ ଫୁ: ଅଧିକାରୀଙ୍କ ଆଗରେ ଭାଙ୍ଗୁଛି କରୋନା ନିୟମ

କଟକ ଅଫିସ,୨୩।୮: କଟକ ସହରରେ ପ୍ରତିଦିନ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କଟକ ମହାନଗର ନିଗମ (ସିଏମ୍‌ସି) ସହରରେ କରୋନା ନିୟନ୍ତ୍ରଣ ଓ ସଚେତନତା ପାଇଁ ଯେତିକି ସକ୍ରିୟ ଅଛି ବୋଲି କହୁଛି, ନିଜ କାର୍ଯ୍ୟାଳୟରେ ସେତିକି ନିଷ୍କ୍ରିୟ ଥିବା ପରି ମନେହେଉଛି। ଦୀପ ତଳ ଅନ୍ଧାର ଭଳି ସିଏମ୍‌ସିର ବିଜୁ ଭବନ ଓ ବିକାଶ ଭବନରେ ଲୋକଙ୍କ ଭିଡ଼ ଲାଗୁଛି। ସାମାଜିକ ଦୂରତା ରହୁନି। କରୋନା ଗାଇଡ୍‌ଲାଇନ୍‌କୁ କେହି ମାନୁନାହାନ୍ତି।

ସିଏମ୍‌ସି ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୮ଶହ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ସେଥିରୁ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ସ୍ଥିତିରେ ସିଏମ୍‌ସିର ବିଜୁ ଭବନ ଓ ବିକାଶ ଭବନ କାର୍ଯ୍ୟାଳୟକୁ ଯେତେବେଳେ ସାଧାରଣ ଲୋକ ଆସୁଛନ୍ତି, କରୋନା ପାଇଁ ଥିବା ସମସ୍ତ ନିୟମ କଡ଼ାକଡ଼ି ପାଳନ ହେବା କଥା। ଉଭୟ କାର୍ଯ୍ୟାଳୟକୁ ଦୈନିକ ବହୁ ଲୋକ ନିଜର କାର୍ଯ୍ୟ ପାଇଁ ଆସୁଛନ୍ତି। ବିକାଶ ଭବନରେ ଥିବା ଜନ୍ମ ମୃତ୍ୟୁ ପଞ୍ଜୀକରଣ ବିଭାଗରେ ଅତ୍ୟଧିକ ଭିଡ଼ ରହୁଛି। ନଗର ସ୍ବାସ୍ଥ୍ୟ ବିଭାଗ ଏହି କାର୍ଯ୍ୟାଳୟରେ ରହିଥିଲେ ମଧ୍ୟ ସାନିଟାଇଜର କିମ୍ବା ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ନାହିଁ। ସାମାଜିକ ଦୂରତ୍ୱ ରଖିବାକୁ ଯେଉଁ ରୋପ୍‌ ରହିଛି, ତାହା କାମରେ ଲାଗୁନାହିଁ। ସିଏମ୍‌ସିର କର୍ମଚାରୀ ଓ ଅଧିକାରୀଙ୍କ ଆଗରେ ଏଭଳି ହେଉଥିଲେ ମଧ୍ୟ ପଦକ୍ଷେପ ଶୂନ। ଏନେଇ ସିଏମ୍‌ସିର ଯୁଗ୍ମ କମିଶନର ସୁମିତା ସରକାର କହିଛନ୍ତି, ସିଏମ୍‌ସି କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି। ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଛି। କିନ୍ତୁ ସେମାନେ ସାମାଜିକ ଦୂରତ୍ୱ ରକ୍ଷା କରୁନାହାନ୍ତି।

Share