୮୨ ଗୋଷ୍ଠୀରୁ କାହାକୁ ମିଳୁନି ଚାଷଋଣ

ଚନ୍ଦାହାଣ୍ଡି, ୧୫।୬ (ଦିଲୀପ ଦାସ ) ଭୂମିହୀନ ଚାଷୀଙ୍କୁ ଚାଷ କାର୍ଯ୍ୟ ପ୍ରତି ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଯେଉଁ ଚାଷୀମାନଙ୍କ ଜମିପଟ୍ଟା ଓ ଆନୁସାଙ୍ଗିକ କାଗଜପତ୍ର ନ ଥିବ ଏବଂ ଅନ୍ୟ ଚାଷୀଙ୍କ ଜମିକୁ ଭାଗଚାଷ କରୁଥିବେ ସେମାନେ ୫ ଜଣିଆ ଗୋଷ୍ଠୀ ଗଠନ କରି କୃଷି ବିଭାଗ ସହଯୋଗରେ ବ୍ୟାଙ୍କଠାରୁ କମ୍‌ ସୁଧରେ ଏବଂ ଅତି ସହଜରେ କୃଷି ଋଣ ନେଇ ପାରିବେ । ହେଲେ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ କୃଷି ବିଭାଗ ତରଫରୁ ଭୂମିହୀନ ଚାଷୀଙ୍କୁ ନେଇ ଗୋଷ୍ଠୀ ଗଠନ କରାଯାଇଛି। ଚାଷୀଙ୍କୁ ଋଣ ପ୍ରଦାନ ପାଇଁ ବ୍ୟାଙ୍କକୁ ଗୋଷ୍ଠୀମାନଙ୍କର ଆବଶକୀୟ କାଗଜପତ୍ର ସହ ତାଲିକା ଦୀର୍ଘ ମାସ ଧରି ପଠାଇଥିଲେ ମଧ୍ୟ ଭାଗଚାଷୀଙ୍କୁ ଚାଷ ଋଣ ଦେବାକୁ ବ୍ୟାଙ୍କମାନେ ଅମଙ୍ଗ ହେଉଥିବା ଅଭିଯୋଗ ହେଉଛି। ବ୍ଲକର ୮୨ ଟି ଗୋଷ୍ଠୀ ମଧ୍ୟରୁ ଗୋଟିଏ ମଧ୍ୟ ଗୋଷ୍ଠୀକୁ ଏ ପର୍ଯ୍ୟନ୍ତ ଋଣ ମିଳିନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ନାବାର୍ଡ ସହାୟତାରେ ଆରମ୍ଭ ହୋଇଥିବା ଏହି ଯୋଜନାର ମୂଳଲକ୍ଷ୍ୟ ଥିଲା ଗୋଷ୍ଠୀ ମାଧ୍ୟମରେ ଚାଷ ଋଣ ପ୍ରଦାନ କରି ଭୂମିହୀନ ଚାଷୀ ମାନଙ୍କ ଦକ୍ଷତା ବୃଦ୍ଧି କରିବା କାରଣ ଅନେକ ଭୂମିହୀନ ଚାଷୀ ନିଜର ଚାଷ ଜମି ନ ଥାଇ ଅନ୍ୟ ଚାଷୀଙ୍କ ଜମିକୁ ଭାଗଚାଷ କରି ସେମାନଙ୍କ ଜୀବିକା ନିର୍ବାହ କରୁଛନ୍ତି । ବଳରାମ ଯୋଜନାରେ ଗୋଟିଏ ଗୋଷ୍ଠୀକୁ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ଓ ସର୍ବନିମ୍ନ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ମିଳିପାରିବ । ହେଲେ ଦୁର୍ଭାଗ୍ୟର କଥା ବଳରାମ ଯୋଜନା କାର୍ଯକାରୀ ହେବା ଦିନଠାରୁ ଚନ୍ଦାହାଣ୍ଡି ବ୍ଲକର ୧୪ ଟି ପଞ୍ଚାୟତର ଗୋଟିଏ ମଧ୍ୟ ଗୋଷ୍ଠୀକୁ ଋଣ ମିଳିପାରି ନାହିଁ । ଏହି ଯୋଜନାରେ ଚାଷ ଋଣ ନ ମିଳିବା ବଳରାମ ଯୋଜନାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବ୍ଲକର ୪୧୦ ଚାଷୀଙ୍କୁ ନେଇ ୮୨ ଟି ଗ୍ରୁପ ଗଠନ କରି ବ୍ଲକରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା, ବ୍ୟାଙ୍କ ଅଫ ବରୋଦା ଶାଖା, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା, ଲ୍ୟାମ୍ପ ଶାଖାକୁ ଚାଷୀଙ୍କ କାଗଜପତ୍ର ପଠାଇ ଥିବା ବ୍ଲକ ସହକାରୀ କୃଷି ଅଧିକାରୀ ଗଜାନନ ସାହୁ ପ୍ରକାଶ କରିଛନ୍ତି l ଏ ସମ୍ପର୍କରେ ବ୍ୟାଙ୍କ ଶାଖା ମ୍ୟାନେଜରମାନଙ୍କୁ ପଚାରିବାରୁ ଚାଷୀଙ୍କ କାଗଜପତ୍ର ଯାଞ୍ଚ ଚାଲିଥିବା, ସିଭିଲ ଖରାପ ଥିବା, ତାଙ୍କ ସମ୍ପର୍କୀୟମାନଙ୍କ ନାମରେ ଋଣ ଥିବା ଆଳ ଦେଖାଇ ଋଣ ପ୍ରଦାନ କରୁ ନ ଥିବା ଜଣାପଡିଛି। ବର୍ତ୍ତମାନ ଖରିଫ ଚାଷ କାର୍ଯ୍ୟ ଆରମ୍ଭ ହୋଇ ସାରିଥିବା ବେଳେ ଚନ୍ଦାହାଣ୍ଡି ବ୍ଲକରେ ବଳରାମ ଯୋଜନାରେ ଅଧିକରୁ ଅଧିକ ଚାଷୀ ଋଣ ନେଇ ଚାଷ କାର୍ଯ୍ୟ କରିପାରିବେ ସେ ନେଇ ଜିଲାପାଳ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହୋଇଛି ।

Share