Posted inଫୁରସତ

ବଣିଜର ଗାଁ ବନମାଳୀପୁର: ଏଠି ନାହାନ୍ତି କେହି ବେରୋଜଗାର…

ସୂର୍ଯ୍ୟ ଉଇଁଲେ ଏଠି ସାଇକେଲ ଗଡ଼େ। କାରବାର ପାଇଁ ଆରମ୍ଭ ହୁଏ ପ୍ରସ୍ତୁତି। ଇଏ ବନମାଳୀପୁର। କୁହାଯାଏ ଏଠି କୁଆଡ଼େ ଘରେ ଘରେ ବ୍ୟବସାୟୀ। ୨୭ ପାଟଣାକୁ ନେଇ ଗଠିତ ଏହି ବନମାଳୀପୁର ଓଡ଼ିଶାର ଏକ ପ୍ରମୁଖ ବ୍ୟବସାୟିକ ସ୍ଥଳ। ଖୋର୍ଦ୍ଧା ଜିଲା ଅନ୍ତର୍ଗତ ବାଲିପାଟଣା ବ୍ଲକ ଅଧୀନରେ ଥିବା ବନମାଳୀପୁରର ଜନସଂଖ୍ୟା ୨୦ ହଜାରରୁ ଊଦ୍ଧର୍‌ବ।

ଭୌଗୋଳିକ ସ୍ଥିତି: ଏହି ଐତିହ୍ୟସମ୍ପନ୍ନ ଗାଁର ଭୌଗୋଳିକ ସ୍ଥିତି ହେଉଛି ପୂର୍ବରେ ତ୍ରିବେଣୀ ଘାଟ ତଥା ଅନ୍ତର୍ବେଦି ଓ ଜଗନ୍ନାଥଙ୍କ ମାମୁଘର କୁହାଯାଉଥିବା ନିଆଳି ମାଧବ ମନ୍ଦିର। ପଶ୍ଚିମରେ କୁଶଭଦ୍ରା ନଦୀ, ପଞ୍ଚାସଖା ଶିଶୁ ଅନନ୍ତ ପୀଠ ଓ ୧୨ଶହ ଶତାବ୍ଦୀର ବୁଦ୍ଧନାଥ ଦେବଙ୍କ ମନ୍ଦିର। ଏହାର ଉତ୍ତରରେ ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କ ଜନ୍ମ ଓ ସାଧନା ପୀଠ। ଏହାର ଦକ୍ଷିଣରେ କୋଣାର୍କ ମନ୍ଦିରର ସମସାମୟିକ ବୁଦ୍ଧକେଶ୍ୱର ପୀଠ।

ବନମାଳୀପୁର(ଅତୀତରୁ ଏବେ): ୫୦ ବର୍ଷ ପୂର୍ବେ ବନମାଳୀପୁରରେ ଫେରି ବ୍ୟବସାୟ ହେଉଥିଲା। ପୁରୁଖା ବ୍ୟବସାୟୀମାନେ କାନ୍ଧରେ ଦସିଆ ପକାଇ ଫେରି କରିବାକୁ ଯାଉଥିଲେ। ସୂର୍ଯ୍ୟ ଉଇଁଲେ ବନମାଳୀପୁରରୁ ସାଇକେଲ ଗଡୁଥିଲା ବିଭିନ୍ନ ଗାଁକୁ। ମନୋହରି, ପାନ, ତେଜରାତି ସାମଗ୍ରୀ ହରେକ ମାଲ୍‌, କସ୍ତା ଶାଢ଼ି, ଗାମୁଛା, କଂସାବାସନ, ରୁପା ଓ ସୁନା ଗହଣା ନେଇ ଖୁଚୁରା ବ୍ୟବସାୟୀମାନେ ବିଭିନ୍ନ ପଡ଼ାକୁ ଯାଉଥିଲେ। ଆପଣ ଯାହା ଖୋଜିବେ ତାହା ବନମାଳୀପୁରରେ ମିଳିବ। ଆଖପାଖ ଅଞ୍ଚଳରେ ବସୁଥିବା ସାପ୍ତାହିକ ହାଟକୁ ଏବେ ବି ଉଠାଦୋକାନୀ ନିଜ ନିଜ ପସରା ନେଇ ଯାଉଛନ୍ତି। ଓଡ଼ିଶାର ପ୍ରମୁଖ ସହର ଓ ରାଜ୍ୟ ବାହାରେ ବନମାଳୀପୁର ବ୍ୟବସାୟୀଙ୍କ ପ୍ରତିଷ୍ଠାନ ଅଛି। ଏବେ ବି ଏଠାକାର ବ୍ୟବସାୟୀମାନେ ସକାଳ ହେଲେ ସାଇକେଲ ନେଇ ବାହାରି ପଡ଼ନ୍ତି। ଆଖପାଖରେ ବ୍ୟବସାୟ ସାରି ସାରେ ଘରକୁ ଫେରନ୍ତି। ତୈଳିକ ସମାଜର ସାଧବମାନେ ପ୍ରାୟ ୧୦୦୦ ବର୍ଷ ପୂର୍ବରୁ ସାମଗ୍ରୀ ଧରି ପ୍ରାଚୀ ନଦୀରେ ଜଳପଥ ଦେଇ ବୋଇତରେ ଜାଭା, ସୁମାତ୍ରା ଓ ଇଣ୍ଡୋନେସିଆ ପରି ବିଭିନ୍ନ ଦେଶକୁ ଯାଉଥିଲେ। ଆରାଧ୍ୟ ଦେବୀ କାକଟପୁର ମା’ ମଙ୍ଗଳାଙ୍କୁ ଆରାଧନା କରି ସାଧବ ବୋହୂମାନେ ଶୁଭ ମନାସୀ ମେଲାଣି ଦେଉଥିଲେ। ଲୋକମୁଖରୁ ଶୁଣାଯାଏ, ପ୍ରାୟ ଦ୍ୱାଦଶ ଶତାବ୍ଦୀ ପୂର୍ବରୁ ଏଠାରେ ବୈଶ୍ୟ ବସତି ଥିଲା ବୋଲି ଅନୁମାନ କରାଯାଏ। କୁହାଯାଏ ଆଗରୁ ଏଠାକାର ପିଲାମାନେ କେବଳ ହିସାବ ଜାଣିବା ପରେ ବହିବସ୍ତାନିରେ ଡୋରି ବନ୍ଧା ହେଉଥିଲା। ପୁରୁଷମାନେ ବ୍ୟବସାୟକୁ ଯାଉଥିଲେ। ସ୍ତ୍ରୀ ଲୋକମାନେ ଘରେ ଖାଲିରେ ନ ବସି ଗୁଆ କାଟି, ତନ୍ତ ବୁଣି ରୋଜଗାର କରୁଥିଲେ। ଆଜିକାଲି ତନ୍ତ କି ଦସିଆ କାନ୍ଧରେ ଦେଖିବାକୁ ମିଳୁନି ସତ କିନ୍ତୁ ଏଠାରେ କେହି ବେରୋଜଗାର ନାହାନ୍ତି।

ଧାର୍ମିକ ବୈଶିଷ୍ଟ୍ୟ: ଏହି ୨୭ ପାଟଣାରେ ଭାଇଚାରା ବଜାୟ ରଖିବାକୁ ୨୨ମଣ୍ଡଳ ରହିଛି। ସମସ୍ତଙ୍କ ଊର୍ଦ୍ଧ୍ୱରେ ଦିଆନ୍‌ପାଟଣାସ୍ଥିତ ବଡ଼ମଠ। ମଠ ମହନ୍ତଙ୍କ ନିର୍ଦ୍ଦେଶରେ ଧାର୍ମିକ କାର୍ଯ୍ୟକ୍ରମ ହୁଏ। କିଛି ବି ସମସ୍ୟା ଆସିଲେ ମହନ୍ତଙ୍କ ପରାମର୍ଶ ଲୋଡ଼ାହୁଏ। ଦଶହରା ଓ ହରପାର୍ବତୀ ପୂଜା ସମସ୍ତଙ୍କୁ ଗୋଟିଏ ରଜୁରେ ବାନ୍ଧି ରଖିବାର ଅନ୍ୟ ଏକ ନମୁନା।

ତ୍ରିବେଣୀ ବୁଡ଼: ବାଲିପାଟଣା ବ୍ଲକ ବନମାଳୀପୁର ନିକଟ ପୁରାଣବର୍ଣ୍ଣିତ ଅନ୍ତର୍ବେଦି ପୀଠରେ ଅନୁଷ୍ଠିତ ହୁଏ ତ୍ରିବେଣୀ ବୁଡ଼। କପିଳ ସଂହିତା ଗ୍ରନ୍ଥରେ ତ୍ରୟୋଦଶ ଶତାବ୍ଦୀରେ ଏହି ତୀର୍ଥର ମାହାତ୍ମ୍ୟ କଥା ଲିପିବଦ୍ଧ ହୋଇଛି।

କଥିତ ଅଛି କି ଦ୍ୱାଦଶ ଶତାବ୍ଦୀର ଚତୁର୍ଥ -ପଞ୍ଚମ ଦଶକରେ କବି ଜୟଦେବ ଏହି ପବିତ୍ର ଘାଟରେ ଗାଧୋଇ ନିଆଳିସ୍ଥିତ ମାଧବ ଦର୍ଶନରେ ଯାଉଥିଲେ। ସେତେବେଳେ ପ୍ରାଚୀ ନଦୀର ତିନୋଟି ଧାର ଥିଲା, ଯାହାର ମିଳନସ୍ଥଳକୁ ତ୍ରିବେଣୀ ସଙ୍ଗମ କୁହାଯାଉଥିଲା। ଏଠାରେ ଥିବା ମଠରେ ଦାରୁନିର୍ମିତ ଜଗନ୍ନାଥ ପୂଜା ପାଉଛନ୍ତି।

ଏଠାରେ ତ୍ରିବେଣୀଶ୍ୱର ମହାଦେବ ମନ୍ଦିର ଅଛି। ଏହି ଘାଟରୁ ଜୟଦେବ ଶଙ୍ଖ, ପଦ୍ମ, ଗଦା ଓ ପଦ୍ମଧାରୀ ଭଗବାନ ମାଧବଙ୍କ ବିଗ୍ରହ ପାଇଥିବା ଗବେଷକ ପ୍ରଫୁଲ୍ଲ ତ୍ରିପାଠୀ ତାଙ୍କ ଶ୍ରୀ ଗୀତଗୋବିନ୍ଦ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ମାଘମାସ ଅମାବାସ୍ୟା ତିଥିରେ ଏଠାରେ ବୁଡ଼ ପଡ଼େ। ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାନ୍ତି। ମାସ ମାସ ଧରି ମେଳା ଚାଲେ। ଆଖପାଖ ଅଞ୍ଚଳର ଲୋକେ ମେଳାରୁ ଘରକରଣା ଜିନିଷ କିଣନ୍ତି। ଏବେ ବି ଏହି ପୀଠରେ ପୂର୍ବର ସମସ୍ତ ପରମ୍ପରା ବଞ୍ଚତ୍ରହିଛି। ମାତ୍ର ମେଳା ଯାତ ବନ୍ଦ ହୋଇଯାଇଛି। ଏପରି ଏକ ପବିତ୍ର ପୀଠରେ ହବିଷ ପାଳିବାକୁ କଟକ, ଜଗତ୍‌ସିଂହପୁର, ପୁରୀ ଓ ଖୋର୍ଦ୍ଧା ଅଞ୍ଚଳରୁ ବହୁ ସଂଖ୍ୟାରେ ହବିଷିଆଳି ଆସନ୍ତି। ସକାଳୁ ସା ପର୍ଯ୍ୟନ୍ତ ହବିଷିଆଳିଙ୍କ ଧାର୍ମିକ କାର୍ଯ୍ୟରେ ବର୍ଷସାରା ଶାନ୍ତ ପଡ଼ିଥିବା ପୀଠ ଚଳଚଞ୍ଚଳ ହୋଇଉଠେ।

ଏହାଛଡ଼ା ଏଠାରେ ମହାଳୟା ଶ୍ରାଦ୍ଧ ଓ ପିଣ୍ଡଦାନ କରି ଶ୍ରଦ୍ଧାଳୁ ପୁଣ୍ୟ ଅର୍ଜନ କରିଥା’ନ୍ତି। ଏଠାରେ ଗୁପ୍ତ ଗଙ୍ଗାର ଆବିର୍ଭାବ ଯୋଗୁ ଶ୍ରାବଣ ମାସରେ ହଜାର ହଜାର କାଉଡ଼ିଆ ଆସି ପ୍ରାଚୀର ପବିତ୍ର ଘାଟରୁ ପାଣି ନେଇ ବିଭିନ୍ନ ଶୈବପୀଠକୁ ଯାତ୍ରା କରନ୍ତି।

ଚିତଉ ଅମାବାସ୍ୟାରେ ଦଶପାଟଣାରେ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୁଏ। ଗୋଟିଏ ଦିନରେ ଦଶଟି ଗାଁରେ ନାମ ସଂକୀର୍ତ୍ତନର ପ୍ରକମ୍ପନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରେ। ଗୋଟିଏ ଗାଁରେ ଏକ ସମୟରେ ଶତାଧିକ ବ୍ୟକ୍ତିଙ୍କ ଭାଗବତ ପାରାୟଣ ଓ ଦୀପ ପ୍ରଜ୍ବଳନ ଏକ ଅନନ୍ୟ ଧାର୍ମିକ ଭାବାବେଗ। ଏପରି ଏକ ପରମ୍ପରା ସମ୍ପର୍କରେ ବରିଷ୍ଠ ଶିକ୍ଷକ ଲକ୍ଷ୍ମଣ ମଣ୍ଡଳ କୁହନ୍ତି, ଲୋକଶ୍ରୁତିରୁ ଜଣାଯାଏ ୧୯୬୪ ମସିହାରେ ଅମୃତମଣୋହି ପାଟଣାର ଜଣେ ବ୍ୟକ୍ତିଙ୍କୁ ସ୍ବପ୍ନାଦେଶ ହେଲା କି ଏଠି ଭୈରବ ରଡ଼ି ହେବ। ଯାହାର ପ୍ରଭାବରେ ଏ ପାଖାପାଖି ଗାଁର ଲୋକଙ୍କ ମୃତ୍ୟୁ ସୁନିଶ୍ଚିତ। ତେଣୁ ଲୋକେ ଭୟଭୀତ ହେଇ ଅଷ୍ଟମ ପ୍ରହର ନାମଯଜ୍ଞ ସେହି ଗାଁର ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ କଲେ। ତା’ପରଦିନ ଜଣାଗଲା ଯେ କାହାର କିଛି କ୍ଷତି ହୋଇନାହିଁ। ତେଣୁ ସେହିଦିନଠାରୁ ଦଶପାଟଣାରେ ଚିତାଲାଗି ଅମାବାସ୍ୟା ଦିନ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଆସୁଛି।

ସାଂସ୍କୃତିକ ଓ ନୌବାଣିଜ୍ୟ କୀର୍ତ୍ତି
ପ୍ରାଚୀମୁଲକ ତୈଳିକ ବୈଶ୍ୟ ସମାଜ ଆନୁକୂଲ୍ୟରେ ସାଧବମାନଙ୍କ ନୌବାଣିଜ୍ୟ କୀର୍ତ୍ତିରାଜିର ସ୍ମୃତି ମନେପକାଇ ପ୍ରତିବର୍ଷ ଏଠାରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହୁଏ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ନିଖିଳ ଉତ୍କଳ ତୈଳିକ ବୈଶ୍ୟ ମହାସଭାରୁ ମହାଜନ ସମ୍ପ୍ରଦାୟର ଭାଇଭଉଣୀମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଋଦ୍ଧିମନ୍ତ କରିଥା’ନ୍ତି। ସମସ୍ତେ ମିଶି ଆଡ଼ମ୍ବର ସହକାରେ ଏହି ଉତ୍ସବକୁ ପାଳନ କରନ୍ତି।
ଚତୁର୍ଥ ମୂଲକ ସଭାପତି ରବୀନ୍ଦ୍ର ନାଥ ସେନାପତି କୁହନ୍ତି,୧୯୩୦ ମସିହାରୁ ଏହି ତୈଳିକ ସମାଜ ବୋଇତ ବନ୍ଦାଣ ଉତ୍ସବ କରିଆସୁଛି। ସାତମୂଲକ ମିଶି କାର୍ତ୍ତିକ ପୂର୍ଣ୍ଣମୀ
ଅବସରରେ ପବିତ୍ର ବୋଇତ ବନ୍ଦାଣ ପର୍ବ ପାଳନ ହେଉଛି।

ଅଧ୍ୟାପକ ଡ. ମୁରଲୀଧର ସାହୁ କୁହନ୍ତି, ଏହି ୨୭ ପାଟଣାବାସୀ ଦ୍ୱାଦଶ ଶତାବ୍ଦୀ ପୂର୍ବରୁ ଏଠାରେ ବସତି ସ୍ଥାପନ କରିଆସୁଛନ୍ତି। ସବୁଠୁ ବଡ଼ କଥା ହେଲା ଏଠାକାର ଲୋକମାନେ ଚାକିରି ଉପରେ ନିର୍ଭର କରନ୍ତି ନାହିଁ ସମସ୍ତେ ବ୍ୟବସାୟ କରି ବେଶ୍‌ ଆରାମରେ ଚଳନ୍ତି। କେହି ବି ବେକାର ନାହାନ୍ତି । ଏହି ଗାଁର ଶତାୟୁ ବ୍ୟକ୍ତି ହାଡ଼ିବନ୍ଧୁ ସାହୁ କୁହନ୍ତି, ଆମ ପିଲାବେଳେ ଆମେ କାନ୍ଧରେ ଦସିଆ ପକାଇ ମାଟିକାଦୁଅ ରାସ୍ତାରେ ସ୍ନୋ ପାଉଡର, ଅତର ଆଦି ବିକିବାକୁ ଯାଉଥିଲୁ। ଗାଁ ଫେରିରେ ଯାହାକିଛି ମିଳୁଥିଲା ସେଥିରେ ପରିବାର ଗୁଜରାଣ ମେଣ୍ଟୁଥିଲା।

ବ୍ୟବସାୟ ବ୍ୟତୀତ ଏ ମାଟି ବହୁ ଉଚ୍ଚଶିକ୍ଷିତ ବ୍ୟକ୍ତିବିଶେଷଙ୍କୁ ଜନ୍ମଦେଇଛି। ଏ ସମ୍ପର୍କରେ ରମେଶ ଚନ୍ଦ୍ର ସାହୁ କୁହନ୍ତି, ଆମ ବାପାଙ୍କର ବାଲିପାଟଣା ଛକରେ ଏକ ବହି ଦୋକାନ ଥିଲା। ସେହି ଦୋକାନ ଲାଭରେ ବାପା ଆମକୁ ପାଠ ପଢ଼ାଇ ଶିକ୍ଷିତ କରାଇଥିଲେ। ପରେ ସ୍ପେଶାଲ କ୍ଳାସ୍‌ ଲାଇସେନ୍ସ ପାଇ ଠିକା ବ୍ୟବସାୟ କରୁଥିଲି। ଏବେ ପିଲାମାନେ ରୋଜଗାର କରିବା ପରେ ଆମେ କିଛି ବ୍ୟବସାୟୀ ମିଶି ବନମାଳୀପୁର ଏବଂ ଆଖପାଖ ଅଞ୍ଚଳର ବିଭିନ୍ନ ସାମାଜିକ ଅନୁଷ୍ଠାନ ଗଢିଲୁ। ଯାହାମଧ୍ୟରେ ଗୋପବନ୍ଧୁ ପାଠାଗାର, ରବି ରାୟ ସ୍ମୃତିସଂସଦ ଆଦି ଅନ୍ୟତମ। ଶିକ୍ଷାକ୍ଷେତ୍ରରେ ଏହି ଅଞ୍ଚଳରେ ବେଶ୍‌ ଜଣାଶୁଣା ଡ. ଜୟନୁଲ ଆବେଦିନ୍‌ଙ୍କ ଘର ଏଇଠି। ଏଇଠି ବି ଅଛନ୍ତି ଏମିତି ଜଣେ ବ୍ୟକ୍ତିବିଶେଷ; ଯିଏ ଛୋଟ ଲୁଗା ବିକାଳିରୁ କଠିନ ପରିଶ୍ରମ ଫଳରେ ଓଡ଼ିଶାର ରାଜଧାନୀରେ ଏକ ବୃହତ୍‌ ହୋଲ୍‌ସେଲ୍‌ ବ୍ୟବସାୟ ପ୍ରତିଷ୍ଠା କରିଛନ୍ତି। ତେଜରାତି ଦୋକାନରୁ ହୋଟେଲ ଶିଳ୍ପ କରି ରାଜଧାନୀରେ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ପ୍ରତିଷ୍ଠିତ। ଏମିତି ଏଠାକାର ବହୁ ଲୋକ ସାଧାରଣ ଦସିଆ ଦୋକାନରୁ ଆଜି ପ୍ରତିଷ୍ଠିତ ବ୍ୟବସାୟୀ ହେବାର ନଜିର ମଧ୍ୟ ଅଛି। ଏଠାକାର ଯୁବକମାନେ ବିଶ୍ୱାସ କରନ୍ତି, ଚାକିରି ଅପେକ୍ଷା ବ୍ୟବସାୟରେ ଅଧିକ ଭଲରେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ମଧ୍ୟ ନିଯୁକ୍ତି ସୁବିଧା ଦେଇହେବ। ମନ ବନମାଳୀପୁରରେ ଆଜି ବନମାଳୀପୁର ବାସିନ୍ଦା ଓଡ଼ିଶାର ବିଭିନ୍ନ ସ୍ଥାନରେ ବେଶ୍‌ ପ୍ରତିଷ୍ଠିତ। ତଥାପି ସେମାନେ ଭୁଲି ନାହାନ୍ତି ମୂଳ ମାଟି ଗାଁ ବନମାଳୀପୁରକୁ। ଗାଁରେ ସମସ୍ତ ଯାନିଯାତ୍ରା, ଧର୍ମୀୟ ଅନୁଷ୍ଠାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ସବୁ ପ୍ରକାର ସହଯୋଗ କରନ୍ତି। ଏମାନଙ୍କ ମଧ୍ୟରେ ଜଣେ ହେଲେ ଗୁରୁ କିଙ୍କର ଜେଠୀ। ସେ କୁହନ୍ତି, ଭୁବନେଶ୍ୱରରେ ରହିଲେ ମଧ୍ୟ ଗାଁକୁ ଭୁଲି ହେବନାହିଁ। ସେହିପରି ଗୁଆ ବ୍ୟବସାୟୀ ସୁରେନ୍ଦ୍ର ନାଥ ସାହୁ କୁହନ୍ତି, ବନମାଳୀପୁରରେ ଆମ ପୂର୍ବଜମାନେ ଦୀର୍ଘ ୬୦ ବର୍ଷରୁ ଊଦ୍ଧର୍‌ବ ଧରି ଗୁଆ ବ୍ୟବସାୟ କରୁଥିଲେ। ମୁଁ ମଧ୍ୟ ସେହି କୌଳିକ ବୃତ୍ତିକୁ ଆପଣାଇଛି। ଆମର ଗୁଆ ଆଣ୍ଡାମାନ, ଥାଇଲାଣ୍ଡ, ବର୍ମା, ଇଣ୍ଡୋନେସିଆ, କର୍ନାଟକ ଏବଂ କେରଳରୁ ଆସୁଛି। ଆମେ ସବ୍‌-ହୋଲ୍‌ସେଲରଙ୍କୁ ବିକ୍ରୟ କରୁ। ସେମାନେ କାଟି, ପ୍ରୋସେସିଙ୍ଗ୍‌ କରି ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଗୁଆ ପଠାନ୍ତି।

ବନମାଳୀପୁର ଯାଉଥିଲେ :
ଆପଣ ଯଦି ଭୁବନେଶ୍ୱରପଟୁ ଆସୁଛନ୍ତି ତେବେ ଭୁବନେଶ୍ୱରରୁ
ଭାୟା ଉତ୍ତରା ଦେଇ ବାଳକାଟୀ, ବାଲିପାଟଣା, ଅଠାନ୍ତର ହୋଇ ଆସିପାରିବେ। ମୋ ବସ୍‌ ସୁବିଧା ମଧ୍ୟ ଅଛି। ପୁରୀ କିମ୍ବା କୋଣାର୍କରୁ ଭାୟା ନିମାପଡ଼ା ଦେଇ ଅଠାନ୍ତର ଭାୟାରେ ଆସିପାରିବେ। କଟକରୁ ଆସିଲେ ଜୟଦେବ ପୀଠ ଦେଇ ମଧ୍ୟ ଆସିହେବ। ନିଆଳିରୁ ଆସିଲେ ସିଧା ନୂଆଗାଁ ଦେଇ ଅନ୍ତର୍ବେଦି ରାସ୍ତାରେ ଆସିପାରିବେ। ଏଠାରେ ସବୁ ସାମଗ୍ରୀ ଉଚିତ୍‌ ମୂଲ୍ୟରେ କିଣିବା ସହିତ ଏଠାରେ ଥିବା ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ପରିଦର୍ଶନ କରିପାରିବେ। ଏଠାକୁ ଆସିବା ବାଟରେ ଚଉଷଠି ଯୋଗିନୀ, ଗାନ୍ଧୀ ସ୍ମୃତିପୀଠ, ବୁଦ୍ଧନାଥ ମନ୍ଦିର, ଜୟଦେବ, ପର୍ଯ୍ୟଟନ କ୍ଷେତ୍ର ଶିଶୁ ଅନନ୍ତ ପୀଠରୁ କାକଟପୁର ମଙ୍ଗଳା, କୋଣାର୍କ ଦେଇ ପୁରୀ ଯାଇ ପାରିବେ। ଭୁବନେଶ୍ୱରରୁ ମାତ୍ର ୨୭ କିଲୋମିଟର, କଟକରୁ ୪୨ କିଲୋମିଟର, ନିଆଳିରୁ ୧୨ କିଲୋମିଟର, ପୁରୀରୁ ୬୦ କିମି ଏବଂ ନିମାପଡ଼ାଠାରୁ ମାତ୍ର ୨୫ କିମି ଦୂରରେ ଏହି ଐତିହ୍ୟସମ୍ପନ୍ନ ବନମାଳୀପୁର ଅବସ୍ଥିତ।
-ଅଭିମନ୍ୟୁ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri