Categories: ଜାତୀୟ

ଦୁର୍ଗାଙ୍କୁ କେହି ଜାଣନ୍ତି ନାହିଁ

କୋଲକାତା, ୧୪ା୨: ପଶ୍ଚିମବଙ୍ଗ ନିର୍ବାଚନୀ ପ୍ରଚାର ଭଗବାନ ରାମଙ୍କଠାରୁ ଆରମ୍ଭ ହୋଇ ଦେବୀ ଦୁର୍ଗା ଓ ମହିଷାସୁର ପ୍ରସଙ୍ଗରେ ପହଞ୍ଚିଛି। ଏ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏବଂ ପଶ୍ଚିମବଙ୍ଗ ଭାଜପା ସଭାପତି ଦିଲୀପ ଘୋଷ ବାକ୍‌ଯୁଦ୍ଧରେ ମୁହାଁମୁହିଁ ହୋଇଛନ୍ତି। ମମତାଙ୍କୁ ଦୁର୍ଗା ବୋଲି କହି ସେହି ଦେବୀଙ୍କୁ କେହି ଜାଣି ନ ଥିବା ଦିଲୀପ କହିଥିବାବେଳେ ଭାଜପାକୁ ମହିଷାସୁର ଆଖ୍ୟା ଦେଇଛନ୍ତି ଅଭିଷେକ।
ଏକ ବିତର୍କରେ ଭାଗ ନେଇ ଦିଲୀପ କହିଥିଲେ, ପ୍ରଭୁ ରାମ ଜଣେ ସମ୍ରାଟ ଥିଲେ। କେହି କେହି ତାଙ୍କୁ ଅବତାର ଭାବରେ ବିବେଚନା କରନ୍ତି। ଆମେ ତାଙ୍କର ପୂର୍ବପୁରୁଷମାନଙ୍କ ନାମ ଜାଣୁ। କିନ୍ତୁ ଆମେ ଦୁର୍ଗାଙ୍କ ବିଷୟରେ ସମାନ କଥା ଜାଣିଛେ କି? ରାମଙ୍କୁ ମର୍ଯ୍ୟାଦା ପୁରୁଷ କୁହାଯାଏ। ରାମାୟଣର ବଙ୍ଗଳା ସଂସ୍କରଣ ମଧ୍ୟ ଅଛି। ମହାତ୍ମା ଗାନ୍ଧୀ ସର୍ବଦା ରାମ ରାଜ୍ୟ କଥା କହିଥିଲେ ବୋଲି ଦିଲୀପ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଟିଏମ୍‌ସି। ଜବାବରେ ଟିଏମ୍‌ସି ଏମ୍‌ପି ଅଭିଷେକ କହିଛନ୍ତି, ପ୍ରଭୁ ରାମଙ୍କ ପୂର୍ବପୁରୁଷଙ୍କୁ ଲୋକେ ଜାଣିଛନ୍ତି ବୋଲି ଭାଜପା କହୁଛି। କିନ୍ତୁ ମା’ ଦୁର୍ଗାଙ୍କ କଥା ନୁହେଁ। ସେମାନଙ୍କ ମତରେ ମା’ ଦୁର୍ଗାଙ୍କର କୌଣସି ମୂଲ୍ୟ ନାହିଁ। ସେମାନେ ବୋଧେ ଜାଣିନାହାନ୍ତି, ନିଜେ ପ୍ରଭୁ ରାମ ଦେବୀ ଦୁର୍ଗାଙ୍କ ପୂଜା କରିଥିଲେ। ଏମିତିକି ମହିଳାଙ୍କ ପ୍ରତି ରାମଙ୍କ ସମ୍ମାନ ଥିବାରୁ ସେ ଦେବୀଙ୍କୁ ଆଖି ମଧ୍ୟ ଅର୍ପଣ କରିଦେଇଥିଲେ। ସେମାନେ ‘ଜୟ ଶ୍ରୀରାମ’ କହୁଛନ୍ତି। ପ୍ରଥମେ ମା ସୀତା ଏବଂ ପରେ ରାମଙ୍କ ନାଁ ଥିବା ‘ଜୟ ସିୟା ରାମ’ କହିବାକୁ ଭାଜପାକୁ ମୁଁ ଚ୍ୟାଲେଞ୍ଜ କରୁଛି। ମହିଳାମାନଙ୍କ ପ୍ରତି ସମ୍ମାନ ନ ଥିବାରୁ ସେମାନେ ଏହା କେବେ ବି କହିପାରିବେ ନାହିଁ ବୋଲି ଟିଏମ୍‌ସି ଏମ୍‌ପି ଅଭିଷେକ କହିଛନ୍ତି। ଯେତେବେଳେ କନ୍ୟା ସନ୍ତାନ ଜନ୍ମ ହୁଏ, ଆମେ ତାଙ୍କୁ ମା’ ବୋଲି କହିଥାଉ। ମହିଳାଙ୍କ ପ୍ରତି ଅସମ୍ମାନ ହେଉଛି ମା’ ଦୁର୍ଗାଙ୍କ ପ୍ରତି ଅସମ୍ମାନ। ଭାଜପା କହୁଛି ଦେବୀ ଦୁର୍ଗାଙ୍କ ପୂର୍ବପୁରୁଷଙ୍କୁ କେହି ଜାଣନ୍ତିନି। ପ୍ରକୃତରେ ଦୁର୍ଗା କିଏ ସେମାନେ ଜାଣନ୍ତି କି? ସେମାନେ ଜାଣନ୍ତି କି ଦୁର୍ଗା ମା’ କିପରି ମହିଷାସୁରର ବଧ କରିଥିଲେ। ସେହିପରି ଭାବେ ଦିଲ୍ଲୀ ମହିଷାସୁରର ମଧ୍ୟ ବଧ କରାଯିବ ବୋଲି ଅଭିଷେକ ପଶ୍ଚିମବଙ୍ଗ ଭାଜପା ସଭାପତି ଦିଲୀପ ଘୋଷଙ୍କ ମନ୍ତବ୍ୟର ଉତ୍ତର ରଖିଛନ୍ତି।

 

Share