ଦଳରେ କେହି ଅସନ୍ତୁଷ୍ଟ ନାହାନ୍ତି: ଶରତ

ଭୁବନେଶ୍ୱର,୨୩।୭(ଅନିଲ ଦାସ): ରାଜ୍ୟ କଂଗ୍ରେସରୁ ୨ଜଣ ବରିଷ୍ଠ ନେତା ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ କରିବା ପରେ ରାଜ୍ୟ କଂଗ୍ରେସରେ ଦୁଇଟି ଗୋଷ୍ଠୀ ମୁଣ୍ଡ ଟେକିଛି।
ଗୋଟିଏ ପଟେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଚାଲିଥିବା ବେଳେ ଅନ୍ୟପଟେ ଦଳୀୟ ଶୀର୍ଷ ନେତାଙ୍କ ନିଷ୍ପତ୍ତି ଓ ନେତୃତ୍ୱକୁ ବିରୋଧ କରାଯାଇଛି। କେବଳ ସେତିକି ନୁହେଁ, କାର୍ଯ୍ୟକାରିଣୀ ପୂର୍ବରୁ ବସିଥିବା ରାଜନୈତିକ ବ୍ୟାପାର ବୈଠକରେ ମୋକିମ ଏବଂ ଚିରଞ୍ଜୀବଙ୍କ ନିଲମ୍ବନ ପ୍ରସଙ୍ଗ ଉଠିଥିଲା। ଗୋଟିଏ ଗୋଷ୍ଠୀ ସମର୍ଥନରେ ବାହାରିଥିବା ବେଳେ ଆଉ କେତେକ ନିଲମ୍ବନକୁ ବିରୋଧ କରିଥିଲେ। ରାଜସ୍ଥାନର ଗେହଲଟ-ପାଇଲଟ୍‌ ବିବାଦକୁ ଯେପରି ବିନା କାର୍ଯ୍ୟାନୁଷ୍ଠାନରେ ଆଲୋଚନା ମାଧ୍ୟମରେ ସମାଧାନ କରାଗଲା, ଓଡ଼ିଶାରେ କାହିଁକି ସେଭଳି ନୀତି ଆପଣା ଗଲାନାହିଁ ବୋଲି ମଧ୍ୟ ବୈଠକରେ ମତପ୍ରକାଶ ପାଇଛି। ଏହାଛଡ଼ା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଦରଦାମ ବୃଦ୍ଧି, ବେକାରି, ଚିଟ୍‌ଫଣ୍ଡ, ପଛୁଆ ବର୍ଗ ପ୍ରତି ଅବହେଳା, ମହିଳାଙ୍କ ସୁରକ୍ଷା, ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହାକୁ ଆଧାର କରି ୨୦୨୪ ରଣନୀତି ପ୍ରସ୍ତୁତ କରିବାକୁ ଦଳ ଯୋଜନା କରିଛି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳର ବରିଷ୍ଠ ନେତା ଓ କର୍ମକର୍ତ୍ତା ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ଅନ୍ୟପକ୍ଷରେ ନିଲମ୍ବନକୁ ମୋକିମ-ଚିରଞ୍ଜୀବଙ୍କ ସମର୍ଥକ ସହଜରେ ହଜମ କରିପାରୁନାହାନ୍ତି। ପ୍ରତିବାଦର ସ୍ବର ଥମିବାର ନାଁ ଧରୁନି । ଶୁକ୍ରବାର କଂଗ୍ରେସ ଭବନରେ ହୋହଲ୍ଲା କରିବା ପରେ ଶନିବାର କଟକରେ ବହୁ କଂଗ୍ରେସ କର୍ମୀ ମୌନ ପ୍ରତିବାଦ କରି ଦୁଇ ନେତାଙ୍କ ନିଲମ୍ବନ ହଟାଇବାକୁ ଦାବି କରିଛନ୍ତି। ଫଳରେ କଂଗ୍ରେସ କନ୍ଦଳ ବଢ଼ି ବଢ଼ି ଚାଲିଛି। ଏପରି ସ୍ଥଳେ ଦଳ ବିଦ୍ରୋହୀଙ୍କୁ କିପରି ପରିଚାଳନା କରି ନିର୍ବାଚନକୁ ଓହ୍ଲାଇବ ତାହା ବଡ଼ ପ୍ରଶ୍ନ ହୋଇଛି। ତେବେ ପିସିସି ସଭାପତି ଶରତ କହିଛନ୍ତି, ଦଳରେ କୌଣସି ଲୋକ ଅସନ୍ତୁଷ୍ଟ ନାହାନ୍ତି। ସମସ୍ତେ ସନ୍ତୁଷ୍ଟ ଅଛନ୍ତି। ଯାହା ବି ହୋଇଛି ତାହା କଂଗ୍ରେସ ପରିବାରର କଥା।

Share