Categories: ଜାତୀୟ

କେହି ସୀମା ଲଂଘିବା ଅନୁଚିତ

ନୂଆଦିଲ୍ଲୀ,୧୧ା୮: ଇସ୍ରାଏଲର ଏନ୍‌ଏସ୍‌ଓ ଗ୍ରୁପ୍‌ ପକ୍ଷରୁ ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେରର ସରକାରୀ ବ୍ୟବହାର ନେଇ ତଦନ୍ତ କରାଇବା ଲାଗି ଦାଏର ଏକାଧିକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣିକୁ ସୁପ୍ରିମକୋର୍ଟ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ମଙ୍ଗଳବାର ଶୁଣାଣି ବେଳେ କେନ୍ଦ୍ର ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସରକାରଙ୍କଠାରୁ ଏନେଇ ଆଦେଶ ନେବା ପାଇଁ ଶୁକ୍ରବାର ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କୁ ସମୟ ମାଗିଥିଲେ। ତେବେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା ଶୁକ୍ରବାର ନିଜର ବ୍ୟକ୍ତିଗତ ଅସୁବିଧା ଥିବା ଦର୍ଶାଇ ଅଗଷ୍ଟ ୧୬ରେ ଏହାର ଶୁଣାଣି ହେବ ବୋଲି ଧାର୍ଯ୍ୟ କରିଥିଲେ। ଶୁଣାଣି ତାରିଖ ଘୁଞ୍ଚାଇବା ସହ ଖଣ୍ଡପୀଠ କହିଥିଲେ, ଆବେଦନକାରୀମାନେ ସୋସିଆଲ ମିଡିଆରେ ସମାନ୍ତରାଳ ବିତର୍କ କରନ୍ତୁ ନାହିଁ। ସାମ୍ବାଦିକ ଏନ୍‌. ରାମ ଓ ଶଶୀ କୁମାରଙ୍କ ପକ୍ଷରୁ ପିଆଇଏଲ୍‌ ଦାଏର କରିଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଥିଲେ, କାଲିଫର୍ନିଆରେ ପେଗାସସ୍‌ ପ୍ରସଙ୍ଗକୁ ନେଇ ଶୀର୍ଷ ଅଦାଲତରେ ପୂର୍ବ ଶୁଣାଣି ପରେ ରାମଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍‌ ହେବାକୁ ପଡ଼ିଥିଲା। ଖଣ୍ଡପୀଠ କହିଥିଲେ, ଆମେ ଏହା ହିଁ କହୁଛୁ। ଉଭୟ ପକ୍ଷଙ୍କୁ କହୁଛୁ ଯେ, ଏହି ପ୍ରସଙ୍ଗକୁ ନେଇ ସାମାଜିକ ଗଣମାଧ୍ୟମ ଓ ଓ୍ବେବ୍‌ସାଇଟ୍‌ଗୁଡ଼ିକରେ ବିତର୍କ କରନ୍ତୁ ନାହିଁ। ଏହା ଉପରେ କୋର୍ଟରେ ହିଁ ବିଚାର କରାଯିବା ଉଚିତ। ବ୍ୟବସ୍ଥା ଉପରେ ପକ୍ଷମାନଙ୍କ ଆସ୍ଥା ରହିବା ଜରୁରୀ। ପ୍ରକାଶ ଯେ, ଏଡିଟର୍ସ ଗିଲ୍ଡ ସମେତ ଆଉ କେତେଜଣ ଆବେଦନକାରୀ ପେଗାସସ୍‌ ଗୁପ୍ତଚରଗିରିର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସିଜେଆଇ ରମନା ଏବଂ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ୫ ତାରିଖରେ କହିଥିଲେ, ପେଗାସସ୍‌ ଗୁପ୍ତଚରଗିରି ଅଭିଯୋଗ ସତ ହୋଇଥିଲେ ସାଂଘାତିକ।

Share