ବ୍ୟବଚ୍ଛେଦ ପରେ ମୃତଦେହ କେହି ନେଲେନି

ନୂଆଗାଁ , ୨୨ା୮ (ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା କୃଷ୍ଣଚନ୍ଦ୍ରପୁର ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ତେବେ ମହିଳା ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା କଥା ଶାଶୁ ଘର ଲୋକେ କହୁଥିବା ବେଳେ ଅଧିକ ଯୌତୁକ ପାଇଁ ଆମ ଝିଅକୁ ମାରି ଦିଆଯାଇଛି ବୋଲି ମୃତ ମହିଳାଙ୍କ ପରିବାର ପକ୍ଷରୁ ସୋମବାର ଲିଖିତ ଅଭିଯୋଗ ହୋଇଛି। ମୃତଦେହ ବ୍ୟବଚ୍ଛେଦ ପରେ ଉଭୟ ପରିବାର ନେବା ପାଇଁ ରାଜି ହୋଇ ନ ଥିଲେ। ପୋଲିସ ଉଭୟ ପରିବାରକୁ ବୁଝାଶୁଝା କରିବା ସତ୍ତ୍ୱେ କେହି ଶୁଣି ନ ଥିଲେ। ଫଳରେ ପୋଲିସର ମୁଣ୍ଡବ୍ୟଥାର କାରଣ ହୋଇଥିଲା। ଶେଷରେ ପୋଲିସ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମୃତଦେହକୁ ସଂସ୍କାର କରାଯାଇଛି।
ନୟାଗଡ ଥାନା ବରଦ୍ୱାର ଗ୍ରାମର ପାଣୁ ଚରଣ ବେହେରା ଝିଅ ସନ୍ଧ୍ୟାରାଣୀଙ୍କୁ ୪ ବର୍ଷ ପୂର୍ବେ କୃଷ୍ଣଚନ୍ଦ୍ରପୁର ଗ୍ରାମର ବିପିନ ବେହେରାଙ୍କ ସହ ବୈଦିକ ରୀତିରେ ବିବାହ କରାଇଥିଲେ। ସେହି ସମୟରେ ପୁଅ ଘର ପକ୍ଷର ଦାବି ମୁତାବକ ଜାନି ଯୌତୁକ ମଧ୍ୟ ଦେଇଥିଲେ। ବିପିନ ପେଶାରେ ଜଣେ ଡ୍ରାଇଭର ହୋଇଥିବାରୁ ସେ ବାହାରେ ରହି ଗାଡି ଚଳାଇ ଥାଆନ୍ତି। ସନ୍ଧ୍ୟାରାଣୀ ୨ ବର୍ଷର ଝିଅ ସହ କୃଷ୍ଣଚନ୍ଦ୍ରପୁରରେ ଶାଶୁ ଶ୍ୱଶୁର ଓ ଦିଅରଙ୍କ ସହ ରୁହନ୍ତି। ରବିବାର ରାତିରେ ଶାଶୁ ଘରେ ସନ୍ଧ୍ୟାରାଣୀଙ୍କର ମୃତ୍ୟୁ ଘଟିଥିଲା। ତେବେ ଶାଶୁ ଘର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ରାତି ୧୨ଟାରେ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସନ୍ଧ୍ୟାରାଣୀଙ୍କୁ ନେବାରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଝିଅ ବିଷ ପିଇ ଆତ୍ମ୍ମହତ୍ୟା କରିଥିବା କଥା ବିପିନଙ୍କ ପରିବାର ଲୋକଙ୍କଠାରୁ ଖବରପାଇ ବାପଘର ଲୋକେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ଥିଲେ। ସନ୍ଧ୍ୟାରାଣୀଙ୍କ ବାପା ପାଣୁ ଥାନାରେ କରିଥିବା ଅଭିଯୋଗ ମୁତାବକ, ଝିଅର ବାହାଘର ପରେ ଶାଶୁଘର ଲୋକେ ଅଧିକ ୫୦ ହଜାର ଟଙ୍କା ଯୌତୁକ ଆଣିବା ପାଇଁ କହୁଥିଲେ। ଏ ନେଇ ଝିଅ ବାପା ପାଣୁ ନିଜର ଅସହାୟତା ପ୍ରକାଶ କରି ଆଉ କିଛି ଦେଇ ପାରିବିନି ବୋଲି ରୋକଠୋକ ମନା କରି ଦେଇଥିଲେ। ତେବେ ସେହି ୫୦ ହଜାର ଟଙ୍କା ନ ଦେଇ ପାରିବାରୁ ଶାଶୁଶ୍ୱଶୁର ଓ ଦିଅର ମିଳିମିଶି ଝିଅକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇ ମୃତ ସନ୍ଧ୍ୟାରାଣୀଙ୍କ ଶାଶୁଶ୍ୱଶୁର ଓ ଦିଅରକୁ ଅଟକ ରଖି ପୋଲିସ ପଚାରଉଚରା କରିଥିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ଆସି ଏହାର ତଦନ୍ତ ରିପୋର୍ଟ ଓ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିବ ବୋଲି ଆଇଆଇସି ନାରାୟଣ ଚନ୍ଦ୍ର ଲେଙ୍କା କହିଛନ୍ତି। ଅଭିଯୋଗକୁ ଭିତ୍ତିକରି ନଂ. ୧୧୬/୨୩ରେ ମାମଲା ରୁଜୁ ହୋଇଛି। ଶାଶୁ ବିନ ବେହେରା ଓ ଦିଅର ଭୋଳା ବେହେରାକୁ ଗିରଫ କରି କୋର୍ଟ ଚାଲଣ କରାଯାଇଥିବା ଜଣାପଡିଛି। ମୃତଦେହ ବ୍ୟବଚ୍ଛେଦ ପରେ କେହି ନେବା ପାଇଁ ରାଜି ହୋଇ ନ ଥିବା ଘଟଣା ପୋଲିସର ମୁଣ୍ଡବ୍ୟଥାର କାରଣ ହୋଇଥିଲା।

Share