
ଜୁନାଗଡ଼,୨୫ା୧(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଶିକ୍ଷା ବିଭାଗ ଅଧୀନ ୩ଟି ସ୍କୁଲରେ କାର୍ଯ୍ୟରତ ଥିବା ୪ ଜଣ ଶିକ୍ଷକଙ୍କୁ ନିଜ ଦାୟିତ୍ୱରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି। ସେମାନେ ହେଲେ ଲଖନାପଡ଼ା ସ୍କୁଲର ପ୍ରଧାନଶିକ୍ଷକ କନ୍ଦର୍ପ ନାଏକ, ବିଜରାଦର ସ୍କୁଲର ସହକାରୀ ଶିକ୍ଷକ କୌଶିକ ବେମାଲ, ସୋମନାଥ ପ୍ରଧାନ ଓ ବେହେରାଗୁଡ଼ା ସ୍କୁଲର ସହକାରୀ ଶିକ୍ଷକ ସୁନାସିର। ଗତ ୨୦ ତାରିଖରେ ଜୁନାଗଡ଼ ବିଇଓ ତପନ ମାଝୀ ଅଚାନକ ସ୍କୁଲ ଗସ୍ତରେ ଯାଇଥିବାବେଳେ ଉପରୋକ୍ତ କୌଣସି ଶିକ୍ଷକ ଉପସ୍ଥିତ ନ ଥିବାରୁ ସମସ୍ତଙ୍କୁ ବିଇଓ ମାଝୀ ନିଲମ୍ବନ କରିଛନ୍ତି।