ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ କେହି ବିଜୟୀ ହେବେ ନାହିଁ

ଜାତିସଂଘ,୭ା୫: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ କୌଣସି ପକ୍ଷ ବିଜୟୀ ହେବେନାହିଁ ବୋଲି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତ କହିଛି। ଆକ୍ରମଣ ହେଉଥିବା ଅଞ୍ଚଳରୁ ନିରୀହ ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯିବା ଜରୁରୀ ବୋଲି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍‌. ତିରୁମୂର୍ତ୍ତି କହିଛନ୍ତି। ଭାରତ ସର୍ବଦା ଶାନ୍ତି ପକ୍ଷରେ ରହିଆସିଥିବା ସେ ସ୍ପଷ୍ଟ କରିଛନ୍ତି। ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭରୁ ଭାରତ ଏହାକୁ ବନ୍ଦ କରିବା ପାଇଁ ଦାବି କରିଆସୁଛି। ଆଲୋଚନା ଓ କୂଟନୈତିକ ମାର୍ଗରେ ବିବାଦର ସମାଧାନ ହୋଇପାରିବ ବୋଲି ତିରୁମୂର୍ତ୍ତି ୟୁଏନ୍‌ଏସ୍‌ସିରେ କହିଛନ୍ତି। ଯୁଦ୍ଧ ଯୋଗୁ ଅନେକ ଲୋକଙ୍କ ଜୀବନ ଗଲାଣି। ମହିଳା, ପିଲା ଓ ବୟସ୍କ ଲୋକମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଲକ୍ଷାଧିକ ଲୋକ ଘରଦ୍ୱାର ହରାଇ ପଡୋଶୀ ଦେଶରେ ଶରଣ ନେବାକୁ ବାଧ୍ୟ ହୋଇଛନ୍ତି। ୟୁକ୍ରେନର ବୁଚା ସହରରେ ନିରୀହ ନାଗରିକଙ୍କ ମୃତ୍ୟୁକୁ ଭାରତ ଦୃଢ଼ ନିନ୍ଦା କରିବା ସହ ଏହାର ନିରପେକ୍ଷ ତଦନ୍ତ ଆହ୍ବାନକୁ ସମର୍ଥନ କରିଆସିଛି ବୋଲି ତିରୁମୂର୍ତ୍ତି କହିଛନ୍ତି।

Share