Categories: ଜାତୀୟ

ଭାରତ ଛଡା କୌଣସି ଦେଶ ଚାଇନାକୁ ସାମ୍ନା କରିପାରିବ ନାହିଁ: ଜର୍ମାନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧୫।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ (ଏଲଏସି) ରେ ଭାରତୀୟ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଏକ ଚିନ୍ତାର ବିଷୟ ଏବଂ ଅନ୍ତର୍ଜାତୀୟ ସୀମା ଉଲ୍ଲଂଘନ କରାଯିବା ଉଚିତ୍‌ ନୁହେଁ ବୋଲି ଜର୍ମାନ ରାଷ୍ଟ୍ରଦୂତ ଫିଲିପ ଆକରମନ୍‌ କହିଛନ୍ତି।
ଭାରତ ଏବଂ ୟୁରୋପୀୟ ୟୁନିଅନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ବିଷୟରେ ଏକ ପ୍ରଶ୍ନ ପଚରାଯିବାରୁ ଫିଲିପ୍‌ କହିଥିଲେ, ମୁକ୍ତ ବାଣିଜ୍ୟ ଚୁକ୍ତି ଭାରତ ପ୍ରତି ଆମର ବାଣିଜ୍ୟ ଆଚରଣକୁ ସଂପୂର୍ଣ୍ଣ ରୂପେ ବଦଳାଇବ। ବର୍ତ୍ତମାନ ଆମେ ବାଣିଜ୍ୟକୁ ନେଇ ଚାଇନା ଉପରେ ଅଧିକ ନିର୍ଭରଶୀଳ। ଆମକୁ ଅନ୍ୟ ଦେଶ ସହିତ ବାଣିଜ୍ୟ ମଧ୍ୟ ବୃଦ୍ଧି କରିବାକୁ ପଡିବ। ଜନସଂଖ୍ୟା ଏବଂ ଅନ୍ୟାନ୍ୟ ଦିଗ ଦୃଷ୍ଟିରୁ ଭାରତ ବ୍ୟତୀତ ଅନ୍ୟ କୌଣସି ଦେଶ ନାହିଁ, ଯିଏ ଚାଇନା ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ।
ଅନ୍ୟପକ୍ଷରେ, ତୱାଙ୍ଗ ସଂଘର୍ଷ ସମ୍ପର୍କରେ ସେ କହିଛନ୍ତି, ମୋର ଏହା ବିଷୟରେ ସମ୍ପୂର୍ଣ୍ଣ ସୂଚନା ନାହିଁ। କିନ୍ତୁ ଆମେ ଏହାକୁ ନେଇ ଚିନ୍ତିତ। ଅନ୍ତର୍ଜାତୀୟ ସୀମାରେ କୌଣସି ଉଲ୍ଲଂଘନ ହେବା ଉଚିତ ନୁହେଁ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଜର୍ମାନ ବୈଦେଶିକ ମନ୍ତ୍ରୀ ଆନ୍ନାଲେନା ବେୟାରଓ୍ବାକ୍‌ଙ୍କ ଭାରତ ଗସ୍ତ ପରେ ଭାରତ ଏବଂ ଜର୍ମାନୀ ଚାଇନା ଏବଂ ରୁଷିଆ ପ୍ରସଙ୍ଗରେ ସର୍ବୋଚ୍ଚ ସ୍ତରରେ ସମ୍ପର୍କ ରଖିବାକୁ ରାଜି ହୋଇଛନ୍ତି।

Share