Categories: ଜାତୀୟ

ଅକ୍ସିଜେନ ନ ଥିବା ହସ୍ପିଟାଲର ତାଲିକା ପ୍ରକାଶ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ୨୨।୪: ଦିଲ୍ଲୀରେ କରୋନା ସଂକ୍ରମଣ ଉଗ୍ରରୂପ ଧାରଣ କରିଛି। ଏଭଳି ସ୍ଥିତିରେ ଦିଲ୍ଲୀର ୬ଟି ଘରୋଇ ଡାକ୍ତରଖାନାରେ ଅମ୍ଳଜାନ ଷ୍ଟକ ନ ଥିବା ଦିଲ୍ଲୀ ସରକାରଙ୍କ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ସରକାରଙ୍କ ପକ୍ଷରୁ ଅମ୍ଳଜାନ ନ ଥିବା ୬ଟି ଘରୋଇ ହସ୍ପିଟାଲର ତାଲିକ ପ୍ରକାଶ କରାଯାଇଛି। ରାଜଧାନୀର ଅକ୍ସିଜେନ କୋଟାକୁ ସମ୍ପୂର୍ଣ୍ଣ ଭାବେ ପୂରଣ କରିବାକୁ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାର କିଛି ସମୟ ମଧ୍ୟରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି। ଦିଲ୍ଲୀର ୨ଟି ଡାକ୍ତରଖାନା ସରୋଜ ସୁପର ସ୍ପେସିଆଲିଟି ହସ୍ପିଟାଲ ଏବଂ ଶାନ୍ତି ମୁକୁଣ୍ଡ ହସ୍ପିଟାଲରେ ସକାଳରୁ ଅକ୍ସିଜେନ ଅଭାବ ଦେଖାଦେଇଛି। ସେହିପରି ତିରଥ ରାମ ଶାହା ହସ୍ପିଟାଲ, ଯୁକେ ନର୍ସିଂହୋମ, ରଥୀ ହସ୍ପିଟାଲ ଏବଂ ସାଣ୍ଟମ ହସ୍ପିଟାଲରେ ଅମ୍ଳଜାନ ଶେଷ ହୋଇଯାଇଥିବା ଦିଲ୍ଲୀ ସରକାର ପକ୍ଷରୁ କୁହାଯାଇଛି। ବୁଧବାର କେନ୍ଦ୍ର ସରକାର ଦିଲ୍ଲୀକୁ ୫୦୦ ମେଟ୍ରିକ ଟନ ବର୍ଦ୍ଧିତ ଅକ୍ସିଜେନ କୋଟା ବଣ୍ଟନ କରିଛି। ଯଦିଓ ରାଜ୍ୟରେ ଏହାର ଆବଶ୍ୟକତା ୭୦୦ ମେଟ୍ରିକ ଟନ୍‌ ରଖିଛି। ଏପରିକି ଆବଣ୍ଟିତ କୋଟା ଦିଲ୍ଲୀକୁ ଆସିବା ନେଇ ସମସ୍ୟା ଦେଖାଦେଇଛି। ଟ୍ୟାଙ୍କରଗୁଡିକ ପ୍ରାୟତଃ ବିଭିନ୍ନ ରାଜ୍ୟରେ ଅଟକାଯାଉଥିବା ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି।

Share