ପିଲା କୋଭାକ୍ସିନ୍‌ ନେବା ପରେ ପାରାସିଟାମଲ ମନା, ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ, ୬।୧ : ପିଲା କୋଭାକ୍ସିନ୍‌ ନେବା ପରେ ପାରାସିଟାମଲ ଦେବା ମନା। ଏନେଇ ସତର୍କ ସୂଚନା ଜାରି ହୋଇଛି। କୋଭାକ୍ସିନ୍‌ ଟିକା ନିର୍ମାତା ଭାରତ ବାୟୋଟେକ ସ୍ପଷ୍ଟ କରିଛି ଯେ ଟିକା ନେବା ପରେ ୧୫ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ପାରାସିଟାମଲ କିମ୍ବା ପେନ୍‌କିଲର ବ୍ୟବହାର କରାଯିବା ଉଚିତ ନୁହେଁ।

ହାଇଦ୍ରାବାଦ ଭିତ୍ତିକ କମ୍ପାନୀ ଭାରତ ବାୟୋଟେକ ଏକ ବିବୃତ୍ତି ଜାରି କରି କହିଛି ଯେ ଆମେ ଜାଣିବାକୁ ପାଉଛୁ ଯେ, କେତେକ ଟିକାଦାନ କେନ୍ଦ୍ରରେ ପିଲାମାନଙ୍କୁ କୋଭାକ୍ସିନ ଟିକା ନେବା ପରେ ପାରାସିଟାମଲ ୫୦୦ ମିଲିଗ୍ରାମ୍‌ର ୩ଟି ଟାବଲେଟ ପ୍ରଦାନ କରାଯାଉଛି।

ତେବେ କୋଭାକ୍ସିନ୍‌ ଟିକା ନେବା ପରେ ପାରାସିଟାମଲ ଥିବା ଔଷଧ ଅବା ପେନ୍‌କିଲର ସେବନ କରିବାକୁ ପରାମର୍ଶ ଦିଆଯାଇ ନ ଥାଏ।

୩୦,୦୦୦ ବ୍ୟକ୍ତିବିଶେଷଙ୍କ ଉପରେ ଏହାର କ୍ଲିନିକାଲ ପରୀକ୍ଷଣକୁ ଦର୍ଶାଇ ଭାରତ ବାୟୋଟେକ୍‌ କହିଛି ଯେ ପ୍ରାୟ ୧୦-୨୦ ପ୍ରତିଶତଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ। ସେଥିମଧ୍ୟରୁ ଅଧିକାଂଶ ସାମାନ୍ୟ। ଏହା ଗୋଟିଏ ଅବା ଦୁଇ ଦିନ ମଧ୍ୟରେ ଚାଲିଯାଏ। ଫଳରେ ଔଷଧର ଆବଶ୍ୟକତା ନଥାଏ। ଡାକ୍ତରଙ୍କ ପରାମର୍ଶ ପରେ ହିଁ ଔଷଧ ନେବାକୁ ପରାମର୍ଶ ଦିଆଯାଇଥାଏ।

ଅନ୍ୟ କିଛି କରୋନା ଟିକା ସହିତ ପାରାସିଟାମଲ ନେବାକୁ ପରାମର୍ଶ ଦିଆଯାଉଥିବାବେଳେ କୋଭାକ୍ସିନ କ୍ଷେତ୍ରରେ ଏଭଳି କରାଯାଇ ନ ଥାଏ ବୋଲି ଭାରତ ବାୟୋଟେକ୍‌ କହିଛି। ତେଣୁ ପିଲା ଟିକା ନେବା ପରେ କେତେକଙ୍କୁ ଜ୍ୱର ହେବାର ଆଶଙ୍କା ରହିଛି। ମାତ୍ର ସେମାନଙ୍କୁ ପାରାସିଟାମଲ ଅବା ପେନ୍‌କିଲର ସାଧାରଣ ଭାବେ ଦେବାର ଆବଶ୍ୟକତତା ନାହିଁ।

Share