ଅବସରର ୩୦ବର୍ଷ ପରେ ବି ମିଳୁନି ପେନ୍‌ସନ

ସାଲେପୁର,୨୧।୧୧(ଡି.ଏନ୍‌.ଏ.): ଜଣେ ଶିକ୍ଷା କର୍ମଚାରୀ ଚାକିରିରୁ ଅବସର ନେବାର ୩୦ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ସମ୍ପୃକ୍ତ କର୍ମଚାରୀଙ୍କୁ ଅବସରକାଳୀନ ବକେୟା ଅର୍ଥ, ପେନ୍‌ସନ୍‌ ମିଳିପାରି ନାହିଁ। ଏ ନେଇ ସମ୍ପୃକ୍ତ କର୍ମଚାରୀ ଜଣକ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହେବା ପରେ କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟ ଘଟଣାର ବିଚାର କରି ଶିକ୍ଷାକର୍ମୀଙ୍କୁ ଅବସରକାଳୀନ ବକେୟା ଅର୍ଥ ଓ ପେନ୍‌ସନ୍‌ ପ୍ରଦାନ କରିବାକୁ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଗଣଶିକ୍ଷା ବିଭାଗ କୋର୍ଟର ଆଦେଶକୁ ଅବମାନନା କରି ଅଦ୍ୟାବଧି ସମ୍ପୃକ୍ତ ଶିକ୍ଷାକର୍ମୀଙ୍କୁ ତାଙ୍କର ପ୍ରାପ୍ୟ ପ୍ରଦାନ କରି ନ ଥିବା ଅଭିଯୋଗ ହୋଇଛି।
ଅଭିଯୋଗରୁ ପ୍ରକାଶ ଯେ, ସାଲେପୁର ବ୍ଲକ ଅନ୍ତର୍ଗତ ସପନପୁର ଗ୍ରାମର ରାଜାରାମ ସିଂହ କଟକ ଇମର୍ତ୍ତିଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ୧୯୯୦ରେ ଅବସର ଗ୍ରହଣ କରିଥିଲେ। ଅବସରକାଳୀନ ବକେୟା ଅର୍ଥ ଏବଂ ପେନ୍‌ସନ୍‌ ପାଇବା ପାଇଁ ସିଂହ ବାରମ୍ବାର ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନିରାଶ ହେବାପରେ ୨୦୨୦ରେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଡବ୍ଲ୍ୟୁପିସି ୩୬୧୪୫/୨୦୨୦ର ବିଚାର କରି ୨୦୨୧ ଜାନୁୟାରୀ ୨୫ରେ ସିଂହଙ୍କୁ ୩ମାସ ମଧ୍ୟରେ ତାଙ୍କର ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୩ ମାସରୁ ଉର୍ଦ୍ଧ୍ୱ ସମୟ ବିତିଯିବା ପରେ ମଧ୍ୟ ଗଣଶିକ୍ଷା ବିଭାଗ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ପୁନର୍ବାର ସେ କୋର୍ଟର ଦ୍ୱାରସ୍ଥ ହେବାରୁ ସଂପୃକ୍ତ କର୍ମଚାରୀଙ୍କୁ ୧ମାସ ମଧ୍ୟରେ ତାଙ୍କର ପ୍ରାପ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଗଣଶିକ୍ଷା ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ତେଣୁ କୋର୍ଟ ଆଦେଶକୁ ଗଣଶିକ୍ଷା ବିଭାଗ ଅବମାନନା କରିଥିବା ନେଇ ସିଂହ ପୁନଶ୍ଚ ଏକ ମାମଲା ରୁଜୁ କରିଥିବା ଜଣାଯାଇଛି। ଅପରପକ୍ଷରେ ଅର୍ଥ ଅଭାବରୁ ଠିକ୍‌ ଭାବେ ଚିକିତ୍ସା ହୋଇ ନ ପାରି ତାଙ୍କ ସ୍ତ୍ରୀ ଏବଂ ପୁଅ ୨୦୨୧ ଜୁନ୍‌ ମାସରେ ମୃତ୍ୟୁବରଣ କରିଛନ୍ତି। ସଂପୃକ୍ତ କର୍ମଚାରୀ ଏବେ ବାର୍ଦ୍ଧକ୍ୟ ଅବସ୍ଥାରେ ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେଇ ତାଙ୍କର ଅବସରକାଳୀନ ବକେୟା ଅର୍ଥ ଓ ପେନ୍‌ସନ୍‌ ତୁରନ୍ତ ପ୍ରଦାନ କରିବାକୁ ସିଂହ ଆକୁଳ ନିବେଦନ କରିଛନ୍ତି।

Share