Categories: ଜାତୀୟ

ଜୋରଜବରଦସ୍ତ ଟିକା ଦିଆଯାଉ ନାହିଁ

ନୂଆଦିଲ୍ଲୀ,୧୭।୧: କୌଣସି ବ୍ୟକ୍ତିଙ୍କ ବିନା ସହମତିରେ ତାଙ୍କୁ କୋଭିଡ୍‌ ଟିକା ଦିଆଯାଇପାରିବ ନାହିଁ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା କୋଭିଡ୍‌-୧୯ ଟିକା ଗାଇଡ୍‌ଲାଇନରେ ବାଧ୍ୟତାମୂଳକ ଟିକାକରଣ କଥା କୁହାଯାଇନାହିଁ ବୋଲି କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ଭାରତରେ ଟିକାକରଣ କାର୍ଯ୍ୟକ୍ରମ ବିଶ୍ୱରେ ସବୁଠୁ ବଡ଼। ୨୦୨୨ ଜାନୁୟାରୀ ୧୧ ସୁଦ୍ଧା ଦେଶରେ ୧,୫୨,୯୫,୪୩,୬୦୨ ଡୋଜ୍‌ ଟିକା ଦିଆଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଜଣାଇଛି। ଯୋଗ୍ୟ ସାବାଳକ ଜନସଂଖ୍ୟାର ୯୦.୮୪% ପ୍ରଥମ ଡୋଜ୍‌ ଟିକା ନେଇଥିବାବେଳେ ୬୧ ପ୍ରତିଶତ ଉଭୟ ଡୋଜ୍‌ ନେଇଛନ୍ତି। ୨୩,୭୬୮ ଜଣ ଭିନ୍ନକ୍ଷମ ସ୍ବେଚ୍ଛାକୃତ ଭାବେ ସେମାନଙ୍କ ପରିଚୟପତ୍ର ଦେଖାଇ ଟିକା ନେଇଛନ୍ତି। କୌଣସି ଉଦ୍ଦେଶ୍ୟ ପାଇଁ ଟିକା ସାର୍ଟିଫିକେଟ ନେବାକୁ ବାଧ୍ୟତାମୂଳକ କରାଯାଇ ନ ଥିବା କେନ୍ଦ୍ର ସରକାର କହିଛନ୍ତି।
ଘରକୁ ଘର ଯାଇ ଟିକା ଦେବା ଏବଂ ଭିନ୍ନକ୍ଷମଙ୍କୁ ଟିକାକରଣରେ ପ୍ରାଥମିକତା ଦେବା ଲାଗି ଏଭାରା ଫାଉଣ୍ଡେଶନ ନାମକ ଏନ୍‌ଜିଓ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ମହାମାରୀ ସ୍ଥିତିକୁ ନଜରରେ ରଖି ବୃହତ୍ତର ଜନସ୍ବାର୍ଥ ଦୃଷ୍ଟିରୁ ଟିକାକରଣ କରାଯାଉଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସତ୍ୟପାଠରେ ଉଲ୍ଲେଖ କରିଛି। ଜନସାଧାରଣଙ୍କୁ ଟିକା ନେବା ଲାଗି ପରାମର୍ଶ ଦିଆଯିବା ସହ ଇଲେକ୍ଟ୍ରୋନିକ୍‌, ଛାପା ଗଣମାଧ୍ୟମ ସହ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଜ୍ଞାପନ ଜରିଆରେ ଲୋକଙ୍କୁ ସଚେତନ କରାଯାଇଥିବା ସରକାର କହିଛନ୍ତି।

Share