ଲଣ୍ଡନ,୨୭ା୯: ବ୍ରିଟେନରେ ପେଟ୍ରୋଲ, ଡିଜେଲର ସଙ୍କଟ ଦେଖାଦେଇଛି। ଟ୍ରକ୍ ଡ୍ରାଇଭରଙ୍କ ଅଭାବ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଫଳରେ ବ୍ରିଟେନର ପ୍ରମୁଖ ସହରରେ ପ୍ରାୟ ୫୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ଖାଲି ପଡ଼ିଛି। ଯେଉଁ କେତୋଟି ପେଟ୍ରୋଲ ପମ୍ପରେ ତେଲ ରହିଛି ସେଠାରେ ବହୁ ସଂଖ୍ୟାରେ ଲୋକେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଅନେକେ ତେଲ ସରିଯିବା ଭୟରେ ଲୋକେ ଆଗୁଆ ଆବଶ୍ୟକତାଠାରୁ ଅଧିକ ପେଟ୍ରୋଲ କିଣୁଥିବାରୁ ସମସ୍ୟା ଆହୁରି ବଢ଼ି ଯାଉଛି।
ସ୍ଥିତି ଏପରି ହୋଇଛି ଯେ, ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କୁ ସେନାର ସହାୟତା ନେବାକୁ ପଡ଼ିଛି। ଗହଳି ଯୋଗୁ କରୋନା ଭୟ ଥିବାରୁ ପେଟ୍ରୋଲ ପମ୍ପଗୁଡ଼ିକରେ ଖୁବ୍ଶୀଘ୍ର ସୈନ୍ୟ ମୁତୟନ କରି ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରାଯିବାକୁ ଯୋଜନା ହୋଇଛି। ଏଥିସହ ଶ୍ରମିକ ଅଭାବ ପୂରଣ କରିବାକୁ ସରକାର ପଡ଼ୋଶୀ ଦେଶରୁ ୫ ହଜାର ଟ୍ରକ୍ ଡ୍ରାଇଭରଙ୍କ ନିମନ୍ତେ ଅସ୍ଥାୟୀ ଶ୍ରମ ଭିଜା ପ୍ରଦାନ କରିବାକୁ ସ୍ଥିର କରିଛନ୍ତି।