Categories: ଜାତୀୟ

ବଳାତ୍କାର ସମୟରେ ପୀଡ଼ିତାଙ୍କର ବିରୋଧ ନ କରିବା ସହମତି ନୁହେଁ, ହାଇକୋର୍ଟ…

ଚେନ୍ନାଇ, ୨୭।୧୨: ବଳାତ୍କାର ମାମଲାରେ ପୀଡ଼ିତା ବିରୋଧ କରି ନ ଥିଲେ ବି ଏହାକୁ ବଳାତ୍କାର ଭାବେ ଗ୍ରହଣ କରାଯିବ। ସେ ଏହାର ବିରୋଧ ନ କରିବା ଅର୍ଥ ତାଙ୍କର ଏଥିରେ ସହମତି ଥିବା କୁହାଯାଇ ପାରିବ ନାହିଁ। ଏକ ମାମଲାର ବିଚାର କରି ମାଡ୍ରାସ୍‌ ହାଇକୋର୍ଟ ଏଭଳି କହିଛନ୍ତି। ହୁଏତ ବଳାତ୍କାର ସମୟରେ ପୀଡ଼ିତା ଭୟ ପାଇ ଏହାର ବିରୋଧ କରି ନ ଥାଇପାରନ୍ତି। ମାତ୍ର ଏହା ନୁହେଁ ଯେ ଏଥିରେ ତାଙ୍କର ସହମତି ରହିଛି।

୧୭ ବର୍ଷ ବୟସ୍କା ବାଳିକାଙ୍କୁ ବଳାତ୍କାର କରାଯାଇଥିଲା। ଏହାପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ପରେ ଅଭିଯୁକ୍ତ ଏହା ପୀଡ଼ିତାଙ୍କ ସହମତିରେ ହୋଇଥିବା ଦର୍ଶାଇ ଏକ ଆବେଦନ କରିଥିଲେ। ନିମ୍ନ ଅଦାଲତ ଏହି ମାମଲାରେ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ ଏବଂ ୫୦୦ ଟଙ୍କା ଜରିମାନା ଦଣ୍ଡାଦେଶ କରିଥିଲେ।

ଏନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସମ୍ପ୍ରତି ସମ୍ପୃକ୍ତ ବ୍ୟକ୍ତିଙ୍କ ବୟସ ୪୮ ବର୍ଷ ହୋଇଥିବାବେଳେ ସେ ଅତ୍ୟଧିକ ମଦ୍ୟପାନ କରି ଦୁର୍ବଳ ହୋଇପଡ଼ିଛନ୍ତି। ତାଙ୍କର ସ୍ତ୍ରୀ ଏବଂ ସନ୍ତାନ ମାନଙ୍କର କୌଣସି ଦୋଷ ନ ଥିଲେ ମଧ୍ୟ ସେମାନଙ୍କୁ ସମାଜରେ ନାନା କଟୁ ମନ୍ତବ୍ୟ ଶୁଣିବାକୁ ମିଳୁଥିବା ଦର୍ଶାଇ ତାଙ୍କର ଦଣ୍ଡ କମାଇବାକୁ ପ୍ରତିପକ୍ଷ ଆଇନଜୀବୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା।

ତେବେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ କାଏମ୍‌ ରଖିଛନ୍ତି।

Share