ସ୍ଥାନାନ୍ତର ପାଇଁ ମିଳୁନି ଜାଗା

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ରାଜଧାନୀର ଛାତି ଉପରେ ରହିଛି ଝାରପଡ଼ା ସ୍ବତନ୍ତ୍ର ଜେଲ୍‌। ଏଠାରେ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଅପରାଧୀମାନେ ରହୁଛନ୍ତି। ୧୯୬୪ ମସିହାରେ ଏହା ପ୍ରଥମେ ଏକ ସବ୍‌ଜେଲ ଭାବେ ପ୍ରତିଷ୍ଠା ହୋଇଥିଲା। ସେତେବେଳେ ସେହି ସ୍ଥାନରେ ଲକ୍ଷ୍ମୀସାଗର ଓ ଝାରପଡ଼ା ନାମରେ କେବଳ ଦୁଇଟି ଗ୍ରାମ ଥିଲା, ଯେଉଁଠି ଖୁବ୍‌ କମ୍‌ ଲୋକ ବାସ କରୁଥିଲେ। ବଣଜଙ୍ଗଲ ଘେରା ମଧ୍ୟରେ ଥିବା ସେହି ଜେଲ ଏବେ ସାଧାରଣ ଜୀବନ ପରିଧିର କେନ୍ଦ୍ରବିନ୍ଦୁ ସାଜିଛି। ୧୯୮୦ରେ ସବ୍‌ଜେଲ ସ୍ବତନ୍ତ୍ର ଜେଲରେ ରୂପାନ୍ତରିତ ହୋଇଥିଲା। ଦିନକୁ ଦିନ ଏହି ସ୍ଥାନରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଜେଲର ଚାରିପାର୍ଶ୍ୱରେ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନଠାରୁ ଆରମ୍ଭ କରି ଲୋକମାନେ ବସବାସ କରୁଛନ୍ତି। ଏହାର ଅନତି ଦୂରରେ ଲକ୍ଷ୍ମୀସାଗର, ଝାରପଡ଼ା, ବିଡିଏ କଲୋନୀ, ଶାନ୍ତି ନଗର, ଜୟଦୁର୍ଗା ନଗର, ହଳୀପଡ଼ିଆ ଆଦି ଅଞ୍ଚଳରେ ବହୁ ଲୋକ ବସବାସ କରୁଛନ୍ତି। ଜନବସତି ଅଞ୍ଚଳ ମଧ୍ୟରେ ଝାରପଡ଼ା ଜେଲ୍‌ ରହିଥିବା କାରଣରୁ ଏହା ଲୋକଙ୍କ ମଧ୍ୟରେ ଏକ ନକାରାତ୍ମକ ଭାବନା ସୃଷ୍ଟି କରୁଛି। ୨୦୦୯ରେ ଜଣେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଓ୍ବାର୍ଡରଙ୍କ ମୃତ୍ୟୁ ଘଟିବା ପରେ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହାପରେ ଜେଲକୁ ସ୍ଥାନାନ୍ତର କରିବାକୁ ବିଭିନ୍ନ ସମୟରେ ଦାବି ହୋଇଛି। ଏପରି କି ବିଧାନସଭାର ଷ୍ଟାଣ୍ଡିଂ କମିଟି ଜେଲ ସ୍ଥାନାନ୍ତର ପାଇଁ ଚନ୍ଦକା ଅଞ୍ଚଳରେ ୨୦୧୮ରେ ଏକ ସ୍ଥାନ ଚିହ୍ନଟ କରିଥିଲେ। ମାତ୍ର ଉକ୍ତ ସ୍ଥାନ ଜଙ୍ଗଲ କିସମ ହୋଇଥିବାରୁ ପରବର୍ତ୍ତୀ ସମୟରେ ଏହା ବାତିଲ କରାଯାଇଛି। ଇତିମଧ୍ୟରେ ୩ବର୍ଷ ପୂରିବାକୁ ବସିଥିବାବେଳେ ଜେଲ୍‌ ସ୍ଥାନାନ୍ତର ନେଇ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
କ୍ଷମତାଠାରୁ ଅଧିକ ରହୁଛନ୍ତି
ଝାରପଡ଼ା ଜେଲ୍‌ରେ ମହିଳା କଏଦୀ ୨୬ ଏବଂ ପୁରୁଷ କଏଦୀ ୭୨୩ ଜଣ ରହିବାର କ୍ଷମତା ରହିଛି। ଏବେ ମହିଳା କଏଦୀ ୩୨ ଏବଂ ପୁରୁଷ କଏଦୀ ୮୯୬ଜଣ ରହୁଛନ୍ତି, ଯାହାକି କ୍ଷମତାଠାରୁ ୧୭୯ ଅଧିକ । ସେମାନଙ୍କ ମଧ୍ୟରେ ବହୁ ଦୁର୍ଦ୍ଦାନ୍ତ ଅପରାଧୀ, ପେସାଦାର ଅପରାଧୀ, ଗ୍ୟାଙ୍ଗଷ୍ଟର ଅଛନ୍ତି। ଫଳରେ ଜେଲ ଓ ଏହାର ଆଖପାଖରେ ସେମାନଙ୍କ ସହଯୋଗୀ ଘୂରି ବୁଲୁଛନ୍ତି। ନିଜ ସହଯୋଗୀଙ୍କୁ ମୁକୁଳାଇବାକୁ ବାହାରେ ଅପରାଧୀମାନେ ଯୋଜନା କରିବା ଘଟଣାକୁ ଏଡାଇ ଦିଆଯାଇ ନ ପାରେ। ସେହିପରି ଜେଲରେ ଲାଗିଥିତ୍ବା ଜାମର ପୂର୍ଣ୍ଣମାତ୍ରାରେ କାମ କରୁ ନ ଥିବାରୁ ଅପରାଧୀମାନେ ମୋବାଇଲ ଫୋନ ବ୍ୟବହାର କରୁଥିବା ନେଇ ମଧ୍ୟ ଅଭିଯୋଗ ହେଉଛି। ତେଣୁ ତୁରନ୍ତ ଏହି ଜେଲ ସ୍ଥାନାନ୍ତର କରାଯିବାକୁ ବିଭିନ୍ନ ମହଲରେ ଦାବି କରାଯାଉଛି। ଅପରପକ୍ଷରେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ଧୀରେନ୍ଦ୍ର ନାଥ ବାରିକ ଜେଲ ସ୍ଥାନାନ୍ତର ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନ ଥିବା କହିଛନ୍ତି।

Share