କେନ୍ଦୁଝର, ୧୮।୧୧ (ସ୍ବ.ପ୍ର.): ବର୍ଜ୍ୟବସ୍ତୁ ପରିଚାଳନାରେ କେନ୍ଦୁଝରଗଡ଼ ପୌରପାଳିକା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସଦର ବିଧାୟକ ମୋହନ ମାଝି ଅଭିଯୋଗ କରିଛନ୍ତି। ବୁଧବାର ସହରର ବିଭିନ୍ନ ମଇଳା ଆବର୍ଜନା ଜମା କରାଯାଉଥିବା ଅଞ୍ଚଳ ପରିଦର୍ଶନ କରି ସେ ଏହା କହିଛନ୍ତି। ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଜମି ମିଳିଯାଉଛି। କିନ୍ତୁ ସ୍ବଚ୍ଛ ଭାରତ ଅଭିଯାନ ଭଳି କାର୍ଯ୍ୟକ୍ରମରେ ମଇଳା ଆବର୍ଜନା ପରିଚାଳନା ପାଇଁ ଦୀର୍ଘ ବର୍ଷ ଧରି ଜମି ମିଳୁ ନ ଥିବା ଆଳରେ ଏଣେ ତେଣେ ମଇଳା ଆବର୍ଜନା ଫିଙ୍ଗା ଯାଉଥିବା ସେ ପ୍ରକାଶ କରିଛନ୍ତି।
ଦୀର୍ଘ ବର୍ଷ ପରେ ମଧ୍ୟ କେନ୍ଦୁଝରଗଡ଼ ପୌରପାଳିକା ଡମ୍ପିଂୟାର୍ଡ ପାଇଁ ଜାଗା ଚିହ୍ନଟ କରିପାରି ନ ଥିବାରୁ ଏଣେ ତେଣେ ରାସ୍ତାକଡରେ ମଇଳା ଆବର୍ଜନା ପକାଯାଉଛି। ଫଳରେ ସହର ସାୈନ୍ଦର୍ଯ୍ୟହାନୀ ହେବା ସହ ପରିବେଶ ବହୁମାତ୍ରାରେ ପ୍ରଦୂଷିତ ହେଉଛି। କିଛି ଦିନ ତଳେ ଏଭଳି ଏନ୍ଏଚ୍ ୪୯ ପାର୍ଶ୍ୱ ଜୁଡ଼ିଆ ଘାଟିରେ ପକାଯାଉଥିବା ଆବର୍ଜନାକୁ ପୋଡ଼ିବା ବେଳେ ପାଖ ଜଙ୍ଗଲରେ ନିଅଁା ଲାଗିବା ସହ ପରିବେଶ ପ୍ରଦୂଷଣ ହୋଇଥିଲା। ଏନେଇ ପରିବେଶବିତମାନେ ଉଦ୍ବେଗ ପ୍ରକାଶ କରିଥିଲେ। ପରେ ପୌରପାଳିକା ପକ୍ଷରୁ ଧାଙ୍ଗରପଡ଼ା ଜାତୀୟ ରାଜପଥ ୪୯ ପାର୍ଶ୍ୱ ଏବଂ ପୌରପାଳିକା ପକ୍ଷରୁ ନିର୍ମିତ ଗୋଦାମ ଗୃହ ଏବଂ ମାଛମାଂସ ଦୋକାନ ସମ୍ମୁଖରେ ଆବର୍ଜନା ପକାଯାଉଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ମଇଳା ଆବର୍ଜନା ସ୍ଥଳରେ କୁକୁର, ଗୋରୁଗାଈ ଆଦି ଖାଦ୍ୟ ପାଇଁ ବୁଲୁଥିବାରୁ ସେମାନଙ୍କ ପାଇଁ ବିପଦ ଆଶଙ୍କା ରହିଛି। ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ସହରରେ ମ୍ୟାଲେରିଆ, ଡେଙ୍ଗୁ ଆଦି ଭଳି ରୋଗ ବ୍ୟାପିବା ଆଶଙ୍କା ରହୁଛି ବୋଲି ପୂର୍ବତନ ପାୈରପାଳିକା ଅଧ୍ୟକ୍ଷ ପ୍ରଭଞ୍ଜନ ପଟ୍ଟନାୟକ କହିଛନ୍ତି ା ଏନେଇ ପଦକ୍ଷେପ ନିଆ ନ ଗଲେ ଭାଜପା ପକ୍ଷରୁ ବାଧ୍ୟ ହୋଇ ଆନ୍ଦୋଳନ କରାଯିବ ବୋଲି ବିଧାୟକ ମାଝୀ ଚେତାବନୀ ଦେଇଛନ୍ତି।