Categories: ଜାତୀୟ

ରୋହିଙ୍ଗ୍ୟାଙ୍କୁ ତତ୍କାଳ ନିର୍ବାସିତ କରିବା ଯୋଜନା ନାହିଁ, ସାନି ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର…

ନୂଆଦିଲ୍ଲୀ,୨।୧୧: କର୍ନାଟକରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଏବେ ନିର୍ବାସିତ କରିବାର କୌଣସି ଯୋଜନା ନାହିଁ। ପରବର୍ତ୍ତୀ ସମୟରେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ। ତେବେ ତତ୍କାଳ କୌଣସି ପଦକ୍ଷେପ ଗ୍ରହଣ କରାଯିବାର ଯୋଜନା ରାଜ୍ୟ ସରକାର କରି ନାହାନ୍ତି ବୋଲି କର୍ନାଟକ ସରକାର ସୁପ୍ରିମ୍‌କୋର୍ଟରେ ଏନେଇ ନିଜର ସାନି ସତ୍ୟପାଠ ଦାଖଲ କରିଛନ୍ତି।

ଏଥିରେ ଉଲ୍ଲେଖ କରାଯାଇଛି ରାଜ୍ୟରେ ୧୨୬ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଚିହ୍ନଟ କରାଯାଇଛି। ତେବେ ପୂର୍ବର ସତ୍ୟପାଠରେ ଏହି ସଂଖ୍ୟା ୭୨ ଥିଲା ବୋଲି ରାଜ୍ୟ ସରକାର ସୂଚିତ କରିଛନ୍ତି। ରାଜ୍ୟରୁ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନିର୍ବାସନ କରିବା ଲାଗି ହୋଇଥିବା ଏକ ଜନ ସ୍ବାର୍ଥ ମାମଲା ଆବେଦନର ଶୁଣାଣି ସମୟରେ କର୍ନାଟକ ସରକାର ଏଭଳି କହିଛନ୍ତି।

ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ରିଟ୍‌ ପିଟିଶନରେ ରାଜ୍ୟରୁ ବାଂଲାଦେଶୀ, ରୋହିଙ୍ଗ୍ୟା ଶରଣାର୍ଥୀ, ଅନୁପ୍ରବେଶକାରୀ ଏବଂ ଅବୈଧ ପ୍ରବାସୀଙ୍କୁ ଏକ ବର୍ଷ ମଧ୍ୟରେ ନିର୍ବାସିତ କରିବାକୁ ଉଲ୍ଲେଖ କରାଯାଇଥିଲା। ଆବେଦନରେ କୁହାଯାଇଥିଲା ଯେ, ବେଙ୍ଗାଲୁୂରୁ ସହରରେ ରୋହିଙ୍ଗ୍ୟାଙ୍କୁ ଚିହ୍ନଟ କରାଯାଇଛି। ସେମାନେ ବିଭିନ୍ନ ସ୍ଥାନରେ କାମ କରୁଥିବା ବେଳେ ପୋଲିସ ପକ୍ଷରୁ ଏନେଇ କୌଣସି ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ପିଟିଶନରେ ଅଭିଯୋଗ କରାଯାଇଥିଲା।

ଏଭଳି ଲୋକଙ୍କୁ ଚିହ୍ନଟ କରି ପୋଲିସ ଅଟକ ରଖି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ଉପରେ ଆବେଦନରେ ଦାବି କରାଯାଇଥିଲା। ଏସମ୍ବନ୍ଧିତ ଆଇନ ଏବଂ ସାମ୍ବଧାନିକ ବ୍ୟବସ୍ଥାରେ ସଂଶୋଧନ ପାଇଁ ଆବେଦନରେ ଜୋର୍‌ ଦିଆଯାଇଥିଲା। ବେଆଇନ ଭାବେ ପ୍ରସ୍ତୁତ କରାଯାଇଥିବା ପ୍ୟାନ୍‌ କାର୍ଡ, ଆଧାର କାର୍ଡ, ଭୋଟର କାର୍ଡ ଉପରେ ଶୀଘ୍ର ପଦକ୍ଷେପ ଗ୍ରହଣ ଲାଗି ମଧ୍ୟ କୁହାଯାଇଥିଲା। ପୂର୍ବତନ ପ୍ରଧାନ ବିଚାରପତି ଏସ୍‌.ଏ, ବୋବ୍‌ଦେ, ବିଚାରପତି ଏ.ଏସ୍‌. ବୋପନ୍ନା ଏବଂ ଭି.ରାମସୁବ୍ରମଣ୍ୟମଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ୨୦୨୧ ମାର୍ଚ୍ଚରେ ଏନେଇ ନୋଟିସ୍‌ ଜାରି କରିଥିଲେ।

 

Share