ମୁମ୍ବାଇ,୩୦।୯: ଭାରତୀୟ ଦଳର କିଛି ସିନିୟର ଖେଳାଳି ବିସିସିଆଇର ସମ୍ପାଦକ ଜୟ ଶାହଙ୍କୁ ଫୋନ କରି ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ ଅଭିଯୋଗ କରିଥିବା ନେଇ କିଛି ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା। ହେଲେ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ବିସିସିଆଇର ଟ୍ରେଜରର (କୋଷାଧ୍ୟକ୍ଷ) ଅରୁନ ଧୁମାଲ। ଭାରତୀୟ ଟି୨୦ ଦଳର ଅଧିନାୟକ ପଦ ଛାଡ଼ିବା କୋହଲିଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ସେ କହିଛନ୍ତି।
କୋହଲି ଗତ ୧୬ ତାରିଖରେ ଟି୨୦ ଅଧିନାୟକ ଛାଡ଼ିବାକୁ ଯାଉଥିବା ଘୋଷଣା କରିଥିଲେ। କିଛି ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ଉପ ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ବିଦା କରିବାକୁ ପାଇଁ କୋହଲି ଚୟନକର୍ତ୍ତାଙ୍କୁ କହିଥିଲେ। ଏହାବାଦ୍ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେଙ୍କ ଭଳି ସିନିୟର ଖେଳାଳି କୋହଲିଙ୍କ ବିଷୟରେ ବିସିସିଆଇ ସମ୍ପାଦକ ଶାହଙ୍କୁ ଅଭିଯୋଗ କରିଥିବା ସେପ୍ଟେମ୍ବର ୨୮ ତାରିଖରେ ପ୍ରକାଶ ପାଇଥିବା ରିପୋର୍ଟରେ ଦର୍ଶାଯାଇଥିଲା।
”ଗଣମାଧ୍ୟମକୁ ଏଭଳି ବେକାର କଥା ଲେଖିବା ବନ୍ଦ କରିବାକୁ ପଡ଼ିବ। ବିସିସିଆଇକୁ କୌଣସି ଖେଳାଳି ଲିଖିତ କିମ୍ବା ମୌଖିକ ଆକାରରେ ଅଭିଯୋଗ କରିନାହାନ୍ତି। ବିସିସିଆଇ ସବୁବେଳେ ଏଭଳି ଭିତ୍ତିହିନ ରିପୋର୍ଟ ଉପରେ ଉତ୍ତର ଦେଇ ପାରିବ ନାହିଁ। କିଛି ରିପୋର୍ଟ ଅନୁଯାୟୀ, ଟି୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ ହୋଇପାରେ। କିଏ କହିଲା ଏ କଥା“ ବୋଲି ପ୍ରଶ୍ନ କରିଛନ୍ତି ବିସିସିଆଇ ଟ୍ରେଜର ଅରୁନ ଧୁମାଲ।