ଥାନାକୁ ମନା, ଗେଟ୍‌ ବାହାରୁ ଏତଲା

କଟକ ଅଫିସ,୧୩।୭: ଥାନା କର୍ମଚାରୀ ଓ ଅଧିକାରୀଙ୍କ ଏବେ କରୋନା ଭୟ ଘାରିଛି। ବଡ଼ ମେଡିକାଲ ଫାଣ୍ଡିରୁ ଜଣେ କନଷ୍ଟେବଳ ପଜିଟିଭ ଚିହ୍ନଟ ହେବା ପରେ କଟକର ସମସ୍ତ ଥାନାକୁ ପ୍ରବେଶ ଉପରେ କଟକଣା କଡ଼ାକଡ଼ି କରାଯାଇଛି। ପୋଲିସ ଏବେ ଏତଲା ଗ୍ରହଣ କରୁଛି ସତ; କିନ୍ତୁ ଅଭିଯୋଗକାରୀଙ୍କ ସହ ଆଲୋଚନା ପାଇଁ ଡରୁଛି। ଥାନା ଭିତରକୁ ପଶିବାକୁ ନ ଦେଇ ଫାଟକ ବାହାରୁ ଏତଲା ରଖାଯାଉଛି। ଡାଏରୀ ଚାର୍ଜ ଅଫିସର (ଡିଏସ୍‌ଓ) ଥାନା ବାହାରେ ଛିଡ଼ାହୋଇ ଅଭିଯୋଗ ସମ୍ପର୍କରେ ଆଲୋଚନା କରୁଛନ୍ତି।
ମଙ୍ଗଳାବାଗ ଥାନା ଅଧୀନରେ ରହିଛି ଦୁଇଟି ପ୍ରମୁଖ ମେଡିକାଲ। ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ। ଏହି ଦୁଇଟି ସ୍ଥାନରୁ ହିଁ କରୋନା ସଂକ୍ରମଣ ସଂଖ୍ୟା ବେଶି ରହିଛି। ତେଣୁ ଉକ୍ତ ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ସର୍ବାଧିକ କରୋନା ଭୟ ଘାରିଛି। ଏହି ଥାନା ଅଧୀନ ମେଡିକାଲ ଫାଣ୍ଡିରୁ ଜଣେ କନଷ୍ଟେବଳ କରୋନା ପଜିଟିଭ ଚିହ୍ନଟ ହେବା ପରେ ଫାଣ୍ଡି ଓ ମଙ୍ଗଳାବାଗ ଥାନାର ୬୯ ଜଣଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ସୋମବାର ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ତଥାପି ମନରୁ ଡର ଯାଇନାହିଁ। କନଷ୍ଟେବଳଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି, ତାହା ହିଁ ପୋଲିସକୁ ଅଧିକ ଚିନ୍ତାରେ ପକାଉଛି। ମେଡିକାଲ ଫାଣ୍ଡିରେ ୩ ଏଏସ୍‌ଆଇ, ୪ କନଷ୍ଟେବଳ ଓ ୭ ଓପିଏଫ୍‌ କାର୍ଯ୍ୟ କରୁଛନ୍ତି। କରୋନା ସମୟରେ ମଙ୍ଗଳାବାଗ ଥାନାକୁ ପ୍ରାୟ ୧୦୦ଟି ପିପିଇ କିଟ୍‌ ଦିଆଯାଇଥିଲା। ଥାନାଧିକାରୀ ଅମିତାଭ ମହାପାତ୍ର କହିଛନ୍ତି, ପିପିଇ କିଟ୍‌ ବ୍ୟବହାର ହେଉଛି। ଥାନାର ସମସ୍ତ ଷ୍ଟାଫ୍‌ ସଚେତନ ରହିଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଏବେ ଏହି ଥାନାର ଅଧାରୁ ଅଧିକ କର୍ମଚାରୀ ଛୁଟିରେ ଅଛନ୍ତି। ସହରର ଅନ୍ୟ ଏକ ପ୍ରମୁଖ ଚିକିତ୍ସାକେନ୍ଦ୍ର ସିଟି ହସ୍ପିଟାଲ ଦରଘାବଜାର ଥାନା ଅଧୀନରେ ରହିଛି। ଏହି ଥାନାର ଜଣେ ଅଧିକାରୀ କହିଥିଲେ ଯେ, ଆମ ଥାନାରେ ମଧ୍ୟ ସମାନ ଅବସ୍ଥା। ଥାନା ଭିତରକୁ ପ୍ରବେଶ କରାଯାଉ ନାହିଁ। ଦରଘାବଜାର ଥାନା କର୍ମଚାରୀ ମଧ୍ୟ ଭୟଭୀତ ଅବସ୍ଥାରେ ଥିବା ସେ କହିଛନ୍ତି।
ବ୍ୟବହାର ନ ହୋଇ ଥୁଆ ହୋଇଛି। ପିପିଇ କିଟ୍‌ ଉପରେ ପ୍ରଶ୍ନ
ପ୍ରତ୍ୟେକ ଥାନାକୁ ପିପିଇ କିଟ୍‌ ଦିଆଯାଇଛି। ଏହାର ସଠିକ୍‌ ବ୍ୟବହାର ହେଉଛି କି ନା, ତାହା ଏବେ ପ୍ରଶ୍ନଘେରରେ। ପିପିଇ କିଟ୍‌ ମାତ୍ର ଥରେ ବ୍ୟବହାର ଉପଯୋଗୀ। ପ୍ରତ୍ୟେକ ଥାନାକୁ ଯେତେ ସଂଖ୍ୟାରେ ପିପିଇ କିଟ୍‌ ଆସିଥିଲା, ତାହା ସେମିତି ଥୁଆ ହୋଇଛି ବୋଲି କେତେକ ପୋଲିସ କର୍ମଚାରୀ କହିଛନ୍ତି।
୬ଷ୍ଠ ବାଟାଲିୟନକୁ ସଂକ୍ରମଣ ଭୟ
ମେଡିକାଲ ଫାଣ୍ଡିରେ ଓଏସ୍‌ଏପି ୬ଷ୍ଠ ବାଟାଲିୟନର କେତେକ ଷ୍ଟାଫ କାର୍ଯ୍ୟରେ ଯୋଗ ଦେଇଥିଲେ। କିଛି ଦିନ ହେବ ଏମାନେ ନିୟମିତ ଭାବେ ମେଡିକାଲ ଅଞ୍ଚଳରେ କାର୍ଯ୍ୟ କରୁଥିଲେ। ଏଠାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ୬ଷ୍ଠ ବାଟାଲିୟନରେ ମଧ୍ୟ କରୋନା ଭୟ ସଞ୍ଚରିଛି।

Share