ଆଳୁ ନାହିଁ ତ ପଥରନାହିଁ

ଖଇରା, ୧୨।୮(ଉତ୍କଳବନ୍ଧୁ ପଣ୍ଡା): ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ବନ୍ଦ କରିବା ଘଟଣାରେ କଡ଼ା ଜବାବ ଦେଇଛନ୍ତି ଖଇରାବାସୀ । ରବିବାରଠାରୁ ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡକୁ ପଥର, ଚିପ୍‌ସ ଓ ଅନ୍ୟାନ୍ୟ ଲଘୁ ଖଣିଜ ପଦାର୍ଥ ପାଇଁ ଆସୁଥିବା ପଶ୍ଚିମବଙ୍ଗ ଗାଡ଼ିଗୁଡିକୁ ଫେରାଇବାକୁ ନିଷ୍ପତ୍ତି ନିଆଯାଇଛି। ରବିବାର ଅପରାହ୍ନରେ ଖଇରା ସାମ୍ବାଦିକ ସଂଘ ନେତୃତ୍ୱରେ ସ୍ଥାନୀୟ ଜନସାଧାରଣ ଶାରୀଶୁଆ ପାହାଡକୁ ପଥର ଓ ଚିପ୍‌ସ ନେବାକୁ ଆସୁଥିବା ହାଇୱା ଓ ଟ୍ରେଲରଗୁଡିକୁ ଖଇରାଠାରୁ ଫେରାଇ ଦିଆଯାଇଛିି। ମମତା ସରକାର ଆଳୁ ନ ଦେବା ଯାଏ ଶାରୀଶୁଆ ପାହାଡ ସଂଲଗ୍ନ ଖଣିଖାଦାନରୁ ପଥର ପଶ୍ଚିମବଙ୍ଗକୁ ଛଡାଯିବ ନାହିଁ ଅର୍ଥାତ ଆଳୁ ନାହିଁ ତ ପଥର ନାହିଁ ବୋଲି ଗାଡିଗୁଡିକୁ ଚେତାବନୀ ଦିଆଯିବା ଅବସରରେ କୁହାଯାଇଥିଲା। ଯଦି ପୁନଶ୍ଚ ଖଣି ଅଞ୍ଚଳକୁ ଗାଡିଗୁଡିକ ଆସନ୍ତି ତେବେ ଆଗାମୀ ପରିସ୍ଥିତି ପାଇଁ ସେମାନେ ଦାୟୀ ରହିବେ ବୋଲି କୁହାଯାଇଥିଲା। ସେହିଭଳି ଓଡିଆ ଅସ୍ମିତାକୁ ଦୃଷ୍ଟିରେ ରଖି ନିଜ ନିଜ କ୍ରଶରରୁ ପଶ୍ଚିମବଙ୍ଗରୁ ଆସୁଥିବା ଗାଡିକୁ ମାଲ୍‌ ନ ଦେବାକୁ ଖଇରା ସାମ୍ବାଦିକ ସଂଘ ତରଫରୁ କ୍ରଶର ମାଲିକମାନଙ୍କୁ ନିବେଦନ କରାଯାଇଛି। ଏହି ପ୍ରତିବାଦରେ ଖଇରା ସାମ୍ବାଦିକ ସଂଘର ସମସ୍ତ ସଦସ୍ୟଙ୍କ ସମେତ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଥିଲେ ା