‘ପ୍ରତିଶ୍ରୁତି ନାହିଁ ତ ଭୋଟ ନାହିଁ’ ଚେତାବନୀ

ରସୁଲପୁର,୧୯ା୫(ରଞ୍ଜିତ ରାଉତ)ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା, ଗନ୍ଧଣ, ବଡ଼କଇଞ୍ଚି, ଟିକରପଡ଼ା, ରସୁଲପୁର ଓ ରାହାମ୍ବା ୬ ପଞ୍ଚାୟତର ଜୀବନରେଖା ହେଉଛି ମୂଳ ଖରସ୍ରୋତା ନଦୀ। ଏହି ମୃତ ମୂଳ ଖରସ୍ରୋତାକୁ ପୁନରୁଦ୍ଧାର ପ୍ରତିଶ୍ରୁତି ପାଇଁ ଦାବି କରିଛି ମୂଳ ଖରସ୍ରୋତା ବଞ୍ଚାଅ ସମିତି। ଦୀର୍ଘବର୍ଷ ଧରି ନଦୀ ପୁନରୁଦ୍ଧାର ପାଇଁ ଦାବି କରୁଥିବା ସମିତି ଏଥର ‘ପ୍ରତିଶ୍ରୁତି ନାହିଁ ତ ଭୋଟ ନାହିଁ’ ଚେତାବନୀ ଦେଇଛି। ଏଭଳି ଏକ ଦାବିପତ୍ର କୋରେଇ ଓ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଘରେଘରେ ପହଞ୍ଚିଛି। ସମିତି ପକ୍ଷରୁ ଏହି ପ୍ରଚାରକୁ ଜୋର୍‌ଦାର କରାଯାଉଛି। ନିର୍ବାଚନ ସମୟରେ ଧର୍ମଶାଳା ଓ କୋରେଇ ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କଠାରୁ ପ୍ରତିଶ୍ରୁତି ଆଶା ରଖିଛନ୍ତି ସମିତିର କାର୍ଯ୍ୟକର୍ତ୍ତା। ଯେଉଁ ପ୍ରାର୍ଥୀ ସେମାନଙ୍କ ଦାବିପୂରଣର ପ୍ରତିଶ୍ରୁତି ଦେବେ ସେହି ପ୍ରାର୍ଥୀଙ୍କୁ ସମିତି କାର୍ଯ୍ୟକର୍ତ୍ତା ଓ ନଦୀ ସହ ଜଡ଼ିତ ବିଭିନ୍ନ ପଞ୍ଚାୟତର ଭୋଟର ଭୋଟ ଦେବେ ବୋଲି ସୂଚନା ମିଳିଛି।

ଟିକରପଡା ପଞ୍ଚାୟତ ନିକଟରୁ ବାହାରି ରସୁଲପୁର ପଞ୍ଚାୟତର ଖଣ୍ଡିତରଠାରେ ମୂଳ ଖରସ୍ରୋତା ଚିରାଚରିତ ଧାରାରେ ବହିଯାଇଛି। ଏଠାରେ କୋରେଇ ନିର୍ବାଚନମଣ୍ଡଳୀର ୪ ଓ ଧର୍ମଶାଳା ନିର୍ବାଚନମଣ୍ଡଳୀର ୨ ପଞ୍ଚାୟତ ଦେଇ ବହିଯାଇଥିବା ୧୩ କି.ମି. ଲମ୍ବର ଏକ ନଦୀ ଏବେ ମୃତ ଅବସ୍ଥାରେ ପଡ଼ିରହିଛି। ୧୯୯୨ରୁ ବନ୍ୟା ନିୟନ୍ତ୍ରଣ ଆଳରେ ଉପମୁଣ୍ଡରେ ବନ୍ଧବାନ୍ଧି ନଦୀକୁ ମାରି ଦିଆଯାଇଛି। ଏହି ମୃତ ଖରସ୍ରୋତାକୁ ଚିରସ୍ରୋତା କରିବା ପାଇଁ ୨୦୦୯ରୁ ସମିତି ପକ୍ଷରୁ ଦାବି ହୋଇଆସୁଛି। ୧୫ବର୍ଷ ଧରି ସମିତି ପକ୍ଷରୁ ଏହି ଦାବିପତ୍ର ଜରିଆରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଉଛି। ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗପତ୍ର ପ୍ରଦାନ କରାଯାଇଛି। ଏପରି କି ବିଧାନସଭା ଷ୍ଟାଣ୍ଡିଂ କମିଟି, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ୫-ଟି ଅଧ୍ୟକ୍ଷଙ୍କୁ ବି ଦାବିପତ୍ର ପ୍ରଦାନ କରାଯାଇଛି। ହେଲେ ମୂଳ ଖରସ୍ରୋତା ନଦୀ ପୁନରୁଦ୍ଧାରକୁ ନେଇ କୌଣସି ସନ୍ତୋଷଜନକ ପଦକ୍ଷେପ ନିଆଯାଇନାହିଁ। କେବଳ ଉକ୍ତ ଅଭିଯୋଗକୁ ନେଇ ତଦନ୍ତ ଆରମ୍ଭ ହୋଇଛି।

ଜଳସେଚନ ବିଭାଗର ଅଧିକାରୀ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ସମିତିର କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି। ହେଲେ ଏଯାଏ ନଦୀ ପୁନରୁଦ୍ଧାର ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ। ଆଗକୁ ଏହି ଦାବିପୂରଣ ନେଇ ରାଜନୈତିକ ଦଳଗୁଡ଼ିକ କେତେ ଆନ୍ତରିକତା ପ୍ରଦର୍ଶନ କରୁଛନ୍ତି ତାକୁ ସେମାନଙ୍କ ଘୋଷଣାପତ୍ରରେ ଉଲ୍ଲେଖ କରନ୍ତୁ ଓ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ସମିତି ସଭାପତି ବେଣୁଧର ଦୋବାଇ, ସମ୍ପାଦକ କୈଳାସ ଚନ୍ଦ୍ର ନାୟକ କହିଛନ୍ତି।

ସମିତିର କହିବା ଅନୁସାରେ, ଜଳର ସୁଷମ ବଣ୍ଟନ ପାଇଁ ଦେଶରେ ନଦୀ ସଂଯୋଗୀକରଣ ଯୋଜନା କରାଯାଉଛି। ଏଠି ଦାବି ମୁତାବକ ନଦୀ ଉପରମୁଣ୍ଡରେ ଏକ ସ୍ଲୁଇସ୍‌ ଗେଟ୍‌ ସ୍ଥାପନ କରି ଜଳ ପ୍ରବାହକୁ ସୁଗମ କରାଗଲେ ୬ ପଞ୍ଚାୟତର ଚାଷୀଙ୍କୁ ଜଳସେଚନ ସୁବିଧା ମିଳିପାରିବ। ଏଥିସହିତ ଭୂତଳ ଜଳସ୍ତର ବୃଦ୍ଧି ଘଟିବ, ନଦୀଗର୍ଭରୁ ଅଳିଆ ଆବର୍ଜନା ଦୂର ହୋଇପାରିବ, ନଦୀକୂଳବାସୀଙ୍କ ଶୌଚ ହେବା, ଶୁଦ୍ଧିକ୍ରିୟା, ପୂଜାପାର୍ବଣ ବେଳେ ଜଳ ସଂଗ୍ରହ କରିବା ଆଦି ସମସ୍ୟା ଦୂର ହେବ। ଧୀବର ସମ୍ପ୍ରଦାୟମାନେ କୌଳିକ ବୃତ୍ତି ଫେରିପାଇବେ। ୬ ପଞ୍ଚାୟତର ଅନୂ୍ୟନ ୫୦ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଉପକୃତ ହୋଇପାରିବେ। ଏଭଳି ଜନମଙ୍ଗଳକାରୀ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ରାଜନୈତିକ ଦଳଗୁଡ଼ିକ ଗୁରୁତ୍ୱ ଦିଅନ୍ତୁ ବୋଲି ସମିତି ଦାବି କରିଛି। ଏଥିସହ ୨୦୨୪ରେ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶାପୋଷଣ କରିଛି।

Share