ନାହିଁ ରେଳ ସୁବିଧା, କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଏମ୍‌ପି

ଦେବଗଡ଼,୫ା୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା ଆଜି ପର୍ଯ୍ୟନ୍ତ ରେଳ ମାନଚିତ୍ରରେ ସ୍ଥାନ ପାଇ ପାରିନାହିଁ। ଜିଲାର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ତୁରନ୍ତ ରେଳ ସଂଯୋଗ କରିବାକୁ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟରେ ଦାବି କରିଛନ୍ତି। ବୁଧବାର ଗଙ୍ଗଦେବ ପାର୍ଲାମେଣ୍ଟ ଭବନସ୍ଥିତ ରେଳ ମନ୍ତ୍ରାଳୟ କାର୍ଯ୍ୟାଳୟରେ ବିଭାଗୀୟ ମନ୍ତ୍ରୀ ବୈଷ୍ଣବଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

୫ଶହ କୋଟି ଟଙ୍କାର ଏକ ସପ୍ଲିମେଣ୍ଟରୀ ବଜେଟ କରି ଝାରସୁଗୁଡ଼ାରୁ କୁଚିଣ୍ଡା-ଦେବଗଡ଼-ବାରକୋଟ-ପାଲଲହଡା ଦେଇ ପାରାଦ୍ୱୀପକୁ ରେଳ ସାଂଯୋଗ ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି। ଏଥିସହ ଜିଲାକୁ ସାଂଯୋଗ କରୁଥିବା ତାଳଚେର-ବିମଳାଗଡ଼ ୧୫୪ କିଲୋମିଟର ନୂତନ ରେଳ ଲାଇନ ପ୍ରକଳ୍ପର ଅଗ୍ରଗତି ପାଇଁ ଦାବି କରିଛନ୍ତି। ଗତ ବଜେଟରେ ଏହି ପ୍ରକଳ୍ପ ପାଇଁ ୧୪୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ଚଳିତ ବଜେଟରେ ମାତ୍ର ୧୦କୋଟି ଟଙ୍କା ଆବଣ୍ଟନ କରାଯାଇଥିବାରୁ ପ୍ରକଳ୍ପ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଥିବା ନେଇ ଏମ୍‌ପି ଗଙ୍ଗଦେବ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଏମ୍‌ପି ଗଙ୍ଗଦେବ ସୂଚନା ଦେଇଛନ୍ତି।

Share