ବର୍ଷା ନାହିଁ, ଘାରିଲାଣି ମରୁଡ଼ି ଚିନ୍ତା

ଭୁବନେଶ୍ୱର,୧୧ା୮(ଅନିଲ ଦାସ): ଆସନ୍ତା ୨୦ ତାରିଖ ଯାଏ ରାଜ୍ୟକୁ ବଡ଼ ବର୍ଷାର କୌଣସି ସୂଚନା ନାହିଁ। ଏହି ଖବର ଚାଷୀଙ୍କ ହୋସ ଉଡ଼ାଇ ଦେଇଛି। ଚାଷ କେମିତି ହେବ ସେଇ ଚିନ୍ତାରେ ଚାଷୀ। ରାଜ୍ୟର ୧୧ ଜିଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଲାଣି। ନବରଙ୍ଗପୁର, ରାୟଗଡ଼ା, କେନ୍ଦ୍ରାପଡ଼ା, ଗଞ୍ଜାମ, କଳାହାଣ୍ଡି, ପୁରୀ, କଟକ, ଜଗତ୍‌ସିଂହପୁର, ଯାଜପୁର, ଖୋର୍ଦ୍ଧା ଏବଂ ଦେବଗଡ଼ ଜିଲାରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି। ନିଅଣ୍ଟିଆ ବର୍ଷା ଯୋଗୁ ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ପାଣିପାଗ ବିଭାଗ ହିସାବ ଅନୁସାରେ ରାଜ୍ୟରେ ଜୁନ୍‌ ପହିଲାରୁ ଅଗଷ୍ଟ ୧୦ ତାରିଖ ମଧ୍ୟରେ ୬୪୬.୨ ମିଲିମିଟର ବର୍ଷା ହେବାକୁ ଥିବାବେଳେ ୬୪୪.୯ ମିଲିମିଟର ହୋଇଛି। ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେବଳ ବାଲେଶ୍ୱର ଜିଲାରେ ୯୪.୮ ମିଲିମିଟର ବର୍ଷା ହୋଇଥିବା ବେଳେ ଅନ୍ୟ ସ୍ଥାନରେ ପାଗ ଶୁଖିଲା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ହେବାର କୋଣସି ସୂଚନା ନାହିଁ।

Share