୫ ଦିନ ବର୍ଷା ନାହିଁ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ରାଜ୍ୟରେ ଆଉ ବର୍ଷାର ସମ୍ଭାବନା ନାହିଁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଲେଉଟାଣି ନେଇ ପାଗ ଅନୁକୂଳ ହେଲାଣି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ସୁବର୍ଣ୍ଣପୁର ଜିଲାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରାଯିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଦିନକ ପରେ ସମଗ୍ର ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରାଯିବ। ମୌସୁମୀ ଦୁର୍ବଳ ହୋଇଯାଉଥିବାରୁ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ବର୍ଷାର କୌଣସି ସମ୍ଭାବନା ନାହିଁ।
ଚଳିତ ବର୍ଷ ରାଜ୍ୟରେ ସ୍ବାଭାବିକ ବର୍ଷା ହୋଇଛି। ଜୁନ୍‌ ପହିଲାରୁ ଅକ୍ଟୋବର ୨୪ ମଧ୍ୟରେ ସ୍ବାଭାବିକ ଭାବେ ୫ ପ୍ରତିଶତ ଅଧିକ ବର୍ଷା ହୋଇଛି। ଅନ୍ୟ ପକ୍ଷରେ ବାୟୁମଣ୍ଡଳରୁ ଆର୍ଦ୍ରତା ହ୍ରାସ ପାଉ ନ ଥିବାରୁ ଶୀତ ଆରମ୍ଭ ହୋଇ ନାହିଁ। ଏବେ ବି ବାୟୁମଣ୍ଡଳରେ ୫୫ ପ୍ରତିଶତରୁ ୧୦୦ ପ୍ରତିଶତ ମଧ୍ୟରେ ଆର୍ଦ୍ରତା ରହୁଛି। ଉତ୍ତର ପଶ୍ଚିମ ଦିଗରୁ ପବନ ବହିବା ଆରମ୍ଭ ହେଉଥିବାରୁ ରାଜ୍ୟରେ ଧୀରେ ଧୀରେ ଶୀତ ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଶନିବାର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୭.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

Share