ଶ୍ରାବଣରେ ବର୍ଷା ନାହିଁ, ଆଗେଇ ପାରୁନି ଚାଷ

ଝରିଗାଁ,୧୪।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଳକରେ ସ୍ବଳ୍ପ ବର୍ଷା ଯୋଗୁଁ ଚାଷୀ ଏବେ ଚିନ୍ତାରେ ପଡ଼ିଛି। ବ୍ଲକରେ ୩୩୩.୪ ହେକ୍ଟର ଜମିରେ ଧାନ ତଳି ପଡିଥିବାବେଳେ କାଦୁଅ ପାଇଁ ଆବଶ୍ୟକ ବର୍ଷା ହେଉ ନ ଥିବାରୁ ଚାଷୀ ଧାନ ରୁଆ କରିପାରୁନାହିଁ। ଫଳରେ ଝରିଗାଁ ବ୍ଳକରେ ୩୩୩୪ ହେକ୍ଟର ଧାନ ଜମି ପଡିଆ ପିଡ଼ିଛି। ଅନ୍ୟପକ୍ଷେ ଧାନ ତଳି ପାକଳ ହୋଇଯାଇଥିବା ବେଳେ ସେହି ତଳିକୁ ରୁଆ କଲେ ମଧ୍ୟ ପିଲ କମ୍‌ ହେବା ସହ ଅମଳ କମିଯିବ ବୋଲି ଚାଷୀ କହୁଛନ୍ତି। ଏହି ବ୍ଲକରେ ଅଳ୍ପ କିଛି ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଥିବାରୁ ସେମାନଙ୍କ ଧାନ ରୁଆ କାମ ଶେଷ ହୋଇଯାଇଅଛି। ଯେଉଁ ଚାଷୀ ମାନଙ୍କର ଜଳ ସେଚନ ସୁବିଧା ନାହିଁ ସେମାନେ ତଳିକୁ ବଞ୍ଚାଇବା ପାଇଁ ନିକଟରେ ଥିବା କୂଅ ପୋଖରୀ ଏବଂ ନାଳରୁ ପାଣି ସଂଗ୍ରହ କରି ତଳି ଘେରରେ ପକାଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ବର୍ଷା ଅଭାବରୁ ଧାନ ଜମି ମାଟି ଫାଟି ଆଁ କଲାଣି l ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଯାଇଛି l ବ୍ଲକ୍‌ରେ ଚଳିତ ବର୍ଷ ଜୁନ ମାସରେ ୧୬୭.୨ମିଲିମିଟର, ଜୁଲାଇରେ ୨୯୮ ମିଲି ମିଟର ଏବଂ ଅଗଷ୍ଟରେ ମାତ୍ର ୪୪ ମିଲିମିଟର ବର୍ଷା ହୋଇଛି l ଫଳରେ ବର୍ଷା ଅଭାବ ଯୋଗୁଁ ତଳିଗୁଡିକର ରଙ୍ଗ ପରିବର୍ତ୍ତନ ହେବା ସହ ଝାଉଁଳି ଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି। କିଛି ଦିନ ମଧ୍ୟରେ ଝରିଗାଁ ବ୍ଳକରେ ଜମିରେ କାଦୁଅ ହେଲା ଭଳି ବର୍ଷା ନ ହେଲେ ପରିସ୍ଥିତି ଶୋଚନୀୟ ହେବ ବୋଲି ଆଶଙ୍କା କରାଯାଉଛି। ସେହିପରି ମକା ଚାଷୀମାନେ ମଧ୍ୟ ସମସ୍ୟାରେ ପଡିଛନ୍ତି।
ପ୍ରକାଶ ଯେ ଝରିଗାଁ ବ୍ଳକରେ, ୧୬୮୩୫ ଜଣ ଚାଷୀ ରହିଥିବା ବେଳେ ଚଳିତ ବର୍ଷ ୮୬୫୦ ହେକ୍ଟର ଜମିରେ ବିଭିନ୍ନ କିସମର ଧାନ ଚାଷ ହେଉଛି। ସେହିପରି ୭୯୫୦ ହେକ୍ଟରରେ ମକା ଚାଷ ହେଉଥିବା ବେଳେ ୪୭୦ ହେକ୍ଟର ଜମିରେ ପରିବା ଚାଷ ହେଉଥିବା ସୂଚନା ମିଳିଛି। ଗତ ବର୍ଷ ଖରିଫ ଋତୁରେ ୪୭୨୬ ହେକ୍ଟର ଜମିରେ ଜଳସେଚିତ ହେଉଥିବା ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିବା ବେଳେ ବାସ୍ତବରେ ତାହା ଢେର କମ ହେବ ବୋଲି କୁହାଯାଇଛି। ଯଦି ପ୍ରଶାସନ ପକ୍ଷରୁ ଝରିଗାଁ ବ୍ଲକରେ ଥିବା ଜମିରେ ଜଳସେଚନ ସୁବିଧା କରାଯାଏ, ତେବେ ଚାଷୀ ବର୍ଷା ପାଣିକୁ ନିର୍ଭର ନ କରି ବର୍ଷକୁ ଦୁଇ ଥର କିମ୍ବା ୩ ଥର ଚାଷ କରିବା ସହ ଆର୍ଥିକ ମାନଦଣ୍ଡ ବଢ଼ି ପାରିଥାନ୍ତା ବୋଲି କୁହାଯାଉଛି। ତେଣୁ ପ୍ରଶାସନ ତୁରନ୍ତ ଚାଷ ଜମିରେ ଜଳସେଚନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଚାଷୀମାନେ ଦାବି କରିଛନ୍ତି। ଚଳତବର୍ଷ ଖରିଫ ଋତୁରେ ଝରିଗାଁ ବ୍ଲକରେ ୩୧୫୦ ଜଣ ଚାଷୀ ୨୫୮୩.୮ହେକ୍ଟର ଚାଷ ଜମି ସକାଶେ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଛନ୍ତି l ସ୍ବଳ୍ପ ସମୟ ଅବଧି ରହିଥିବା ହେତୁ ବହୁ ଚାଷୀ ଏହି ବୀମା କରିବାରୁ ବଞ୍ଚିତ ରହିଥିବା ଜଣାପଡିଛି l