ସୋନପୁର, ୨।୮(ନି.ପ୍ର.) ଶ୍ରାବଣ ମାସ ସରିବାକୁ ବସିଲାଣି। ହେଲେ ବର୍ଷାଭାବରୁ ସୁବର୍ଣ୍ଣପୁର ଜିଲାର ଅଧିକାଂଶ ଚାଷ ଜମି ଶୁଖିଲା ପଡିଛି। ଜିଲାର ଡୁଙ୍ଗୁରିପାଲି ଓ ବିନିକା ବ୍ଲକର ଚାଷ ଜମି ହୀରାକୁଦ କେନାଲ ଦ୍ୱାରା ଜଳସେଚିତ ହୋଇପାରୁଛି। କିନ୍ତୁ ସୋନପୁର, ତରଭା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକର ଚାଷୀଙ୍କୁ ଏକମାତ୍ର ଭରସା ମୌସୁମୀ ବର୍ଷା। ଚଳିତ ବର୍ଷ ଜୁନ୍ ଓ ଜୁଲାଇରେ ତରଭା ବ୍ଲକରେ ସ୍ବାଭାବିକଠାରୁ ୭.୭୭ ମି.ମି. ଅଧିକ ବର୍ଷା ହୋଇଛି। ତେବେ ମୌସୁମୀ ଉଭାନ କାରଣରୁ ସୋନପୁର ବ୍ଲକ ଓ ବୀରମହାରାଜପୁର ଉପଖଣ୍ଡର ଚାଷୀ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି। ଚାଷୀ ଏବେ ଅପେକ୍ଷା କରିଛି ଲଘୁଚାପ ବର୍ଷାକୁ। ଦିନେ ଦୁଇଦିନ ମଧ୍ୟରେ ବର୍ଷା ନ ହେଲେ ସ୍ଥିତି ଗମ୍ଭୀର ହେବ ବୋଲି ଚାଷୀମାନେ ଆଶା ଆଶଙ୍କାରେ ରହିଛନ୍ତି । ଅପରପକ୍ଷେ ସ୍ବଳ୍ପ ବୃଷ୍ଟିପାତ ହେତୁ ଅଧିକାଂଶ ଅଣଜଳସେଚିତ ଅଞ୍ଚଳରେ ଚାଷକାର୍ଯ୍ୟ ଆରମ୍ଭ ହୋଇନାହିଁ। କେତେକ ସ୍ଥାନରେ ତଳି ପକା ଯାଇଥିବା ଓ ବୁଣା ହୋଇଥିବା ଧାନ ମରିବାକୁ ବସିଲାଣି। ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି।
ଚଳିତ ଖରିଫ ଋତୁରେ ଜିଲାର ୧ଲକ୍ଷ ୨ହଜାର ୩୫ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ୯୩୮୮୫ହେକ୍ଟର ଜମିରେ ଅଧିକ ଉତ୍ପାଦନକ୍ଷମ ଧାନ, ୭୭୫୦ହେକ୍ଟର ଜମିରେ ସଙ୍କର ଜାତୀୟ ଓ ୪୦୦ହେକ୍ଟରରେ ସ୍ଥାନୀୟ କିସମର ଧାନ ଚାଷ କରାଯିବାକୁ ଲକ୍ଷ୍ୟ ଥିଲା। ହେଲେ ଚାଷ ଆରମ୍ଭରୁ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ସବୁ କାର୍ଯ୍ୟ ପଛେଇ ଯାଇଛି । ଚଳିତ ବର୍ଷ ଜୁନରେ ହାରାହାରି ବୃଷ୍ଟିପାତ ୨୧୭.୪ ମିଲିମିଟର ହେବାକୁ ଥିବା ବେଳେ ୧୯୭.୨୨ ମିମି ବର୍ଷା ହୋଇଥିଲା। ଜୁଲାଇ ୩୦ ସୁଦ୍ଧା ଜିଲାରେ ହାରାହାରି ବୃଷ୍ଟିପାତ ୩୭୩.୮୨ ମିମି. ହେବାକୁ ଥିବା ବେଳେ ମାତ୍ର ୧୯୮.୨୮ ମିଲିମିଟର ବର୍ଷା ହୋଇଛି । ଚାଷ ପାଇଁ ଜୁଲାଇ ମାସ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ମାସ ୩୦ ତାରିଖ ସୁଦ୍ଧା ଜିଲାରେ ୪୬.୯୬% ମି.ମି. କମ୍ ବୃଷ୍ଟିପାତ ହେବା ଚିନ୍ତାର କାରଣ ହୋଇଛି । କେତେକ ଅଞ୍ଚଳରେ ଜଳାଶୟରୁ ପାଣି ପମ୍ପ ଦ୍ୱାରା ଜଳ ଉତ୍ତୋଳନ କରି ଚାଷୀ ତଳିକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଛନ୍ତି। ଶତାଧିକ ହେକ୍ଟର ଚାଷ ଜମି ଏ ବର୍ଷ ପଡିଆ ପଡିବାର ଆଶଙ୍କା ସୃଷ୍ଟି ହୋଇଛି। ସ୍ବଳ୍ପ ବୃଷ୍ଟିପାତ ଜନିତ ମରୁଡିକୁ ଦୃଷ୍ଟିରେ ରଖି କୃଷି ସହ ଜଡିତ ସମସ୍ତ ବିଭାଗ ଜିଲାର ଚାଷୀଙ୍କ ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।
ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ କୁହନ୍ତି, ଜୁଲାଇରେ ବହୁତ କମ୍ ବର୍ଷା ହୋଇଛି। ଅଣଜଳସେଚିତ ସୋନପୁର ବ୍ଲକ ଓ ବୀରମହାରାଜପୁର ଉପଖଣ୍ଡରେ ସମସ୍ୟା ଦେଖାଦେଇଛି। ହରିହରଯୋର ଡ୍ୟାମ୍ରୁ ପାଣି ଛଡାଯିବା ଦ୍ୱାରା ଉଲୁଣ୍ଡା ଓ ବୀରମହାରାଜପୁରର କେତେକ ଅଞ୍ଚଳରେ ଚାଷ ସ୍ବାଭାବିକ ହୋଇଛି। ଆସନ୍ତା ୭ଦିନ ମଧ୍ୟରେ ବର୍ଷା ନ ହେଲେ ଚାଷୀ କ୍ଷତି ସହିବେ ବୋଲି ସେ କହିଛନ୍ତି।