ଜୁଲାଇ ୩ ଯାଏ ବର୍ଷା ନାହିଁ ୧୬ ଜିଲାରେ ନିଅଣ୍ଟିଆ

ଭୁବନେଶ୍ୱର,୨୮।୬(ଅନିଲ ଦାସ): ରାଜ୍ୟରେ ମୌସୁମୀଜନିତ ବର୍ଷା ଥମିଯାଇଛି। ଗତ ଦୁଇଦିନ ଧରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଭଲ ବର୍ଷା ହୋଇଥିବା ବେଳେ ଉପକୂଳରେ ନିଅଣ୍ଟିଆ ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଜୁନ୍‌ ପହିଲାରୁ ୨୭ ତାରିଖ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ବର୍ଷା ହୋଇଛି। ଏହି ସମୟରେ ରାଜ୍ୟରେ ୧୮୧.୬ ମିଲିମିଟର ବର୍ଷା ହେବାକୁ ଥିବାବେଳେ ହୋଇଛି ୧୪୬.୯ ମିଲିମିଟର। ୧୯%ରୁ କମ୍‌ କିମ୍ବା ବେଶି ବର୍ଷା ହେଲେ ଏହାକୁ ସ୍ବାଭାବିକ ଧରାଯାଏ। ରାଜ୍ୟକୁ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ୧୬ଟି ଜିଲାରେ ବର୍ଷାଭାବ ଦେଖାଦେଇଛି। ସେହି ଜିଲାଗୁଡ଼ିକ ହେଲା ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଗଜପତି, ଜଗତ୍‌ସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ପୁରୀ, ସୁବର୍ଣ୍ଣପୁର। ଏହି ସବୁ ଜିଲାରେ ବର୍ଷା ନ ଥିବାରୁ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଆସନ୍ତା ଜୁଲାଇ ୩ ଯାଏ ରାଜ୍ୟରେ ବର୍ଷା ପରିମାଣ ହ୍ରାସ ପାଇବ। ଗତ ୨୪ ଘଣ୍ଟାରେ ବାରିପଦାରେ ସର୍ବାଧିକ ୫୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର ୪୩, ବାଲେଶ୍ୱର ୨୯.୬, ଝାରସୁଗୁଡ଼ା ୩୮.୬, କେନ୍ଦୁଝର ୨୬.୭, ସମ୍ବଲପୁର ୧୨.୨, ହୀରାକୁଦ ୩୧, ତାଳଚେର ୨୫, ଭବାନୀପାଟଣା ୧୨.୮ ଏବଂ ଟିଟିଲାଗଡ଼ରେ ୧୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Share