ଟିକାକରଣ ପ୍ରମାଣପତ୍ର ନ ଥିଲେ ରାଶନ ମନା…

ଆଲୀଗଡ଼,୨୧।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ରୋକିବା ଲାଗି ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଉତ୍ତରପ୍ରଦେଶ ଆଲୀଗଡ଼ ପ୍ରଶାସନ ପକ୍ଷରୁ ଅଭିନବ ନିର୍ଦ୍ଦେଶ ଲାଗୁ ହୋଇଛି। ରାଶନ ନେବାକୁ ଆସୁଥିବା ଲୋକଙ୍କୁ ଏବେ ଟିକାକରଣ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଟିକାକରଣ ପ୍ରମାଣପତ୍ର ନ ଥିବା ଲୋକଙ୍କୁ ରାଶନ ଦିଆଯିବ ନାହିଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ବହୁ ଲୋକ ଟିକା ନେଉ ନ ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ଗାଜିଆବାଦର ପରିବହନ କାର୍ଯ୍ୟାଳୟ (ଆରଟିଓ) ରେ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଟିକାକରଣ ପ୍ରମାଣପତ୍ର ଲୋଡା ଯାଉଛି।କେତେକ ସ୍ଥାନରେ ଆଧାର କାର୍ଡ, ପାନ କାର୍ଡ ଏବଂ ପାସପୋର୍ଟ ତିଆରି କରିବା ପାଇଁ ଟିକାକରଣ ପ୍ରମାଣପତ୍ରକୁ ମଧ୍ୟ ଦେଖାଇବାକୁ ପଡୁଛି। ଟିକାକରଣ ପ୍ରମାଣପତ୍ର ନଥିବା ଲୋକେ ଏସବୁ ଡକୂ୍ୟମେଣ୍ଟଗୁଡିକ ପାଇଁ ଆବେଦନ କରିପାରିବେ ନାହିଁ ବୋଲି ସମ୍ପୃକ୍ତ କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଛି। ଲୋକଙ୍କ ମଧ୍ୟରେ ଟିକାକରଣ ପ୍ରତି ସଚେତନତା ସୃଷ୍ଟି କରିବା ଏଭଳି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ବୋଲି କାର୍ଯ୍ୟାଳୟଗୁଡ଼ିକ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share