Categories: ଖେଳ

ଏସିଆ କପ୍‌ ଫାଇନାଲ୍‌ ମ୍ୟାଚ୍‌ ପାଇଁ ନାହିଁ ରିଜର୍ଭ ଡେ’: ବର୍ଷା ହେଲେ କିଏ ହେବ ବିଜେତା ଜାଣନ୍ତୁ

କଲମ୍ବୋ,୭।୯: ଶ୍ରୀଲଙ୍କାରେ ଖେଳାଯାଉଥିବା ଏସିଆ କପ ମ୍ୟାଚ ଖେଳ ଅପେକ୍ଷା ଅଧିକ ବର୍ଷା ହେତୁ ଆଲୋଚନା ହେଉଛି। ଏପର୍ଯ୍ୟନ୍ତ ଖେଳାଯାଇଥିବା ପ୍ରତ୍ୟେକ ମ୍ୟାଚ୍‌ରେ ବର୍ଷା ବାଧା ଦେଇଛି। ଏସିଆ କପ ଫାଇନାଲ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍‌ ଆସିଛି। ଏସିଆନ କ୍ରିକେଟ ପରିଷଦ ପକ୍ଷରୁ ଏହା ସ୍ପଷ୍ଟ ହୋଇଛି ଯେ, ଫାଇନାଲ ପାଇଁ କୌଣସି ରିଜର୍ଭ ଡେ’ ରଖାଯାଇ ନାହିଁ। ଯଦି ବର୍ଷା ହେତୁ ଫାଇନାଲ ମ୍ୟାଚ ବାଧାପ୍ରାପ୍ତ ତେବେ ଉଭୟ ଦଳ ବିଜେତା ଘୋଷିତ ହେବେ।
ଏସିଆ କପର ଫାଇନାଲ ମ୍ୟାଚ ୧୭ ସେପ୍ଟେମ୍ବରରେ ଖେଳାଯିବ। ବର୍ଷା ଯୋଗୁ ପ୍ରବଳ କ୍ଷୟକ୍ଷତି ସମ୍ପର୍କରେ ପାକିସ୍ତାନ କ୍ରିକେଟ ବୋର୍ଡ ପୂର୍ବରୁ କହିସାରିଛି। ପିସିବି କହିଛି ଯେ, ବର୍ଷା କାରଣରୁ ସେମାନେ ଶ୍ରୀଲଙ୍କା ପରିବର୍ତ୍ତେ ୟୁଏଇରେ ମ୍ୟାଚ ଆୟୋଜନ କରିବାକୁ ଚାହୁଁଥିଲେ। କିନ୍ତୁ ଏସିସି ସଭାପତି ଜୟ ଶାହା ୟୁଏଇ ପରିବର୍ତ୍ତେ ଶ୍ରୀଲଙ୍କାକୁ ବିକଳ୍ପ ଭାବେ ବାଛିଥିଲେ।
ଏସିଆ କପ ଆୟୋଜନ ସହିତ ସମଗ୍ର ବିବାଦ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଏସିଆ କପ ଆୟୋଜନ କରିବାର ଅଧିକାର ପାକିସ୍ତାନର ଥିଲା। ସୁରକ୍ଷା କାରଣରୁ ଭାରତ ପାକିସ୍ତାନକୁ ଏକ ଦଳ ପଠାଇବାକୁ ମନା କରିଦେଇଥିଲା। ଏହା ପରେ ହୋଷ୍ଟିଂ ସମ୍ବନ୍ଧୀୟ ନୂତନ ବିକଳ୍ପଗୁଡ଼ିକର ସନ୍ଧାନ ଆରମ୍ଭ ହେଲା। ପରିଶେଷରେ ହୋଷ୍ଟିଂ ପାଇଁ ଏକ ହାଇବ୍ରିଡ ମଡେଲ ନିଷ୍ପତ୍ତି ନିଆଯାଇଥିଲା।
ଏହି ମଡେଲ ଅଧୀନରେ ପାକିସ୍ତାନରେ ୪ଟି ମ୍ୟାଚ ଆୟୋଜିତ ହେଉଛି ଏବଂ ବାକି ୯ଟି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯାଉଛି। ତେବେ ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ କେବଳ ଶ୍ରୀଲଙ୍କାରେ ଖେଳିବ। ଫାଇନାଲ ମ୍ୟାଚ ମଧ୍ୟ ଶ୍ରୀଲଙ୍କାରେ ଆୟୋଜିତ ହେବ। କିନ୍ତୁ ବର୍ଷା ସଙ୍କଟ ଯୋଗୁ ଫାଇନାଲ୍‌କୁ ନେଇ ଏବେ ପ୍ରଶ୍ନ ଉଠିଛି।

Share