ନିର୍ମାଣ ହେଉନି ପକ୍କାରାସ୍ତା, ବଢୁଛି ଅସନ୍ତୋଷ

ବଇଣ୍ଡା,୩୦।୬(ପରିକ୍ଷିତ ସାହୁ): ପ୍ରତ୍ୟେକ ଗ୍ରାମକୁ ଗମନାଗମନ କିଭଳି ସଦୃଢ଼ ହେବ ସେ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଏସବୁ ଯୋଜନା ସିଧାସଳଖ ଭାବେ ଅନେକ ଗ୍ରାମାଞ୍ଚଳରେ ପହଞ୍ଚି ପାରୁନାହିଁ। କେଉଁଠି ରାସ୍ତା ଦୀର୍ଘଦିନ ହେବ ଶୋଚନୀୟ ହୋଇଥିଲେ ମଧ୍ୟ ମରାମତି ହେଉ ନାହିଁ ତ ଆଉ କେଉଁଠି ରାସ୍ତା ନିର୍ମାଣ ନ ହୋଇ ମିଥ୍ୟା ବିଲ୍‌ କରି ଅର୍ଥ ହଡ଼ପ କରାଯାଉଛି। ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତରେ ଏପରି ଦେଖିବାକୁ ମିଳିଛି।
ନୁନୁକାପଶି ପଞ୍ଚାୟତର ବଇଣ୍ଡା ରେଳ ଓଭରବ୍ରିଜଠାରୁ ଶିକ୍ଷକପଡା ଯାଇଥିବା ମାଟି ରାସ୍ତା ଅତି ଶୋଚନୀୟ ହୋଇପଡିଛି। ରାସ୍ତାଟି ଅତ୍ୟନ୍ତ କଦର୍ଯ୍ୟ ହୋଇପଡ଼ିଥିଲେ ମଧ୍ୟ ଏହାକୁ ପକ୍କା କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଯାଇଛି। ଏ ନେଇ ଶିକ୍ଷକପଡା ଗ୍ରାମବାସୀ ବୁଧବାର ଅନୁଗୋଳ ଜିଲାପାଳଙ୍କୁ ଏକ ଦାବିପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଗ୍ରାମବାସୀ କହିଛନ୍ତି, ଏହି ରାସ୍ତାଟି ମାଟି ରାସ୍ତା ଥିବାବେଳେ ରାସ୍ତାର କିଛି ଅଂଶ ପଞ୍ଚାୟତ ଓ ଅନ୍ୟ କିଛି ଅଂଶ ରେଳବିଭାଗ ଅଧୀନରେ ରହିଛି। ହେଲେ ରାସ୍ତାର ମୁଖ୍ୟ ଭାଗ ମାଟି ଥିବାବେଳେ ଅଧ କିମି ପର୍ଯ୍ୟନ୍ତ ମାଟି ରହିଛି। ଏହି ରାସ୍ତାକୁ ପକ୍କା କରାଯାଉ ନ ଥିବା ଯୋଗୁ ଲୋକେ ଯାତାୟାତରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଏହି ରାସ୍ତା ଉପରେ ଶିକ୍ଷକପଡା, ବଡହୁଲା, ଦାଦାରସାହି, ସାନଗୋବିନ୍ଦପୁର, ଝରିପାଣି ଆଦି ଗ୍ରାମବାସୀ ପାଇଁ ନିର୍ଭରଶୀଳ। ପ୍ରତ୍ୟେକ ଦିନ ଶତାଧିକ ଗାଡି ଏହି ରାସ୍ତା ଦେଇ ଯାତାୟତ କରୁଥିଲେ ମଧ୍ୟ ଏହାକୁ ପକ୍କା କରାଯାଉନାହିଁ। ଫଳରେ ସାମାନ୍ୟ ବର୍ଷା ହେଲେ ରାସ୍ତା ସମ୍ପୂର୍ଣ୍ଣ କାଦୁଅପୂର୍ଣ୍ଣ ହୋଇଯାଉଛି। ପଞ୍ଚାୟତ ବିଭାଗ ପକ୍ଷରୁ କେବେ କେମିତି ମୋରମ ପକାଇ ସମତଳ କରାଯାଉଥିବାବେଳେ କିଛିମାସ ଗଲା ପରେ ରାସ୍ତା ଅବସ୍ଥା ପୂର୍ବସ୍ଥିତିକୁ ଫେରିଯାଉଛି। ଏହି ରାସ୍ତାକୁ ପିଚୁ କରିବା ପାଇଁ ଶିକ୍ଷକପଡା ଗ୍ରାମବାସୀ ଗତ ୧୨ ଜୁନ ୨୦୨୨ ଓ ୧ ଫେବୃୟାରୀ ୨୦୨୩ରେ ସ୍ଥାନୀୟ ବିଧାୟକଙ୍କଠାରୁ ଆରମ୍ଭ କରି ସମ୍ବଲପୁର ଏମ୍‌ପି, କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ହେଲେ କୌଣସି ସୁଫଳ ମିଳୁନାହିଁ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।