ବାସୁଦେବପୁର, ୨୦।୧ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ଚାରିଟିକିରିଆ ରାଜସ୍ବ ଗ୍ରାମ ୯ ନଂ. ୱାର୍ଡକୁ ସ୍ଥାୟୀ ରାସ୍ତା ନାହିଁ। ଏନେଇ ଗ୍ରାମବାସୀ ଏକାଠି ହୋଇ ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗ୍ରାମବାସୀଙ୍କ ସ୍ବାକ୍ଷର ସମ୍ବଳିତ ଏକ ଦାବିପତ୍ର ବୁଧବାର ଅପରାହ୍ନରେ ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କୁ ପ୍ରଦାନ କରାଯାଇଛି। ଗ୍ରାମକୁ ରାସ୍ତା ନ ଥିବାରୁ ଏହାର ପ୍ରତିବାଦରେ ବାଧ୍ୟହୋଇ ଗ୍ରାମବାସୀ ଏଭଳି ନିଷ୍ପତ୍ତି ନେଇଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।
ସମ୍ପର୍କରେ ୨୦୧୯ ଅକ୍ଟୋବର ୧ରେ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ, ରାଜସ୍ବ ବିଭାଗ ସଚିବ, ଆର୍ଡିସି କଟକ, ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ତହସିଲଦାରଙ୍କୁ ଅବଗତ କରିଥିଲେ ମଧ୍ୟ ଅଦ୍ୟାବଧି ଗଁାକୁ ରାସ୍ତା ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ମଦନ ଗିରି, ଦୀପକ ଦଳେଇ, ଭବେଶ କୁମାର ଗିରି, ଦିବାକର ଦାସ, ଉମାକାନ୍ତ ଦାସ, ମନଦୀପ ମଣ୍ଡଳ, ନୀଳକଣ୍ଠ ଗୁଡ଼ିଆ ପ୍ରମୁଖ ବିଡିଓଙ୍କୁ ଦାବିପତ୍ର ଦେଇ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି, ଉକ୍ତ ଗ୍ରାମରେ ୫ ଶହରୁ ଊର୍ଦ୍ଧ୍ୱ ଲୋକେ ଦୀର୍ଘ ବର୍ଷ ଧରି ବସବାସ କରି ଆସୁଥିବା ବେଳେ ସ୍ଥାୟୀ ରାସ୍ତା ନ ଥିବାରୁ ଯାତାୟାତ ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି।