ରାୟଗଡା ଅଫିସ,୨୯।୧: ଗାଁକୁ ରାସ୍ତା ନ ଥିବାରୁ ୩ କିମି ଖଟିଆରେ ବୁହା ହେଲେ ଗର୍ଭବତୀ। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ବଣ୍ଡାଦୋରା ଗାଁରେ।
ସୂଚନାଯୋଗ୍ୟ, ଗାଁର ଲକ୍ଷ୍ମୀ ମାଝିଙ୍କ ଗର୍ଭଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିଥିବା ସତ୍ତ୍ୱେ ୩ କିମି ପଛରେ ଅଟକି ରହିଥିଲା । ପରେ ଆମ୍ବୁଲାନ୍ସ ଡ୍ରାଇଭର କୌଣସି ଉପାୟ ନ ପାଇ ଗାଁ ଲୋକଙ୍କ ସାହାଯ୍ୟରେ ଖଟିଆ ଯୋଗେ ବୋହିକି ଆଣିବା ସମୟରେ ସେ ଖଟିଆରେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ପରେ ତାଙ୍କୁ ଡଙ୍ଗାସିଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି।