ଗାଁକୁ ନାହିଁ ପକ୍କାରାସ୍ତା

ଝରିଗାଁ,୨୬।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ସଦର ମହକୁମାଠାରୁ ମାତ୍ର ୩ କି.ମି. ଦୂରରେ ଥିବା ବାଘବେଡ଼ା ଗ୍ରାମକୁ ପକ୍କା ରାସ୍ତା ନାହିଁ। ନୂତନ ରାସ୍ତା ପାଇଁ ବହୁବାର ଜନ ପ୍ରତିନିଧି ସହ ବ୍ଲକ ଓ ଜିଲା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସୂଚନାନୁଯାୟୀ, ଉକ୍ତ ସ୍ଥାନରେ ଦୀର୍ଘ ୫୦ ବର୍ଷ ତଳେ ଜଙ୍ଗଲ କାଟି କିଛି ପରିବାର ବସତି ସ୍ଥାପନ କରିଥିଲେ। ପରେ ତାହାର ନାମ ବାଘବେଡ଼ା ଗ୍ରାମ ରଖିଥିଲେ। ବର୍ତ୍ତମାନ ଏହି ଗ୍ରାମରେ ପ୍ରାୟ ୨୫ ସନ୍ତା ପରିବାର ରହୁଛନ୍ତି। ମାତିଲି ସାହି ଦେଇ ଉକ୍ତ ଗାଁକୁ ଯିବାକୁ ପଡ଼େ। ପ୍ରଶାସନ ପକ୍ଷରୁ ମାତିଲି ସାହି ପର୍ଯ୍ୟନ୍ତ ମାଟି ରାସ୍ତା କରାଯାଇଛି। କିନ୍ତୁ ସେଠାରୁ ବାଘବେଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇ ନ ଥିବା ଗ୍ରାମବାସୀ କହିଛନ୍ତି। ମାତିଲି ସାହିରୁ ପ୍ରାୟ ୧ କି.ମି. ଦୂର ବାଘବେଡ଼ା ନାଳ ପାରହୋଇ ଧାନ ଜମି ହିଡ଼ ଦେଇ ବିପଦସଙ୍କୁଳଭାବେ ବାଘବେଡ଼ାକୁ ଯିବାକୁ ହୁଏ। ବର୍ଷାଦିନେ ବାଘବେଡ଼ା ଗ୍ରାମକୁ ଯାତାୟାତ ପାଇଁ ସମସ୍ୟା ହୋଇଥାଏ। ରାସ୍ତା ନ ଥିବା ଯୋଗୁ ରୋଗୀ ଏବଂ ଗର୍ଭବତୀଙ୍କୁ ଭାରରେ ବୋହି ମାତିଲି ସାହି ପର୍ଯ୍ୟନ୍ତ ନେବାକୁ ପଡ଼େ। ଏଥିପାଇଁ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଦ ପଡ଼ି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମର ମହିଳାମାନେ ଘରେ ପ୍ରସବ କରୁଥିବା ଗ୍ରାମବାସୀ କହିଛନ୍ତି। ସେହିପରି ବାଘବେଡ଼ା ଗ୍ରାମରେ ବାର୍ଦ୍ଧକ୍ୟ ଭତ୍ତା ଏବଂ ଆବାସ ଗୃହ ପାଇବା ପାଇଁ ବହୁ ଯୋଗ୍ୟ ହିତାଧିକାରୀ ଥିଲେ ମଧ୍ୟ ଯୋଜନାରେ ସାମିଲ କରାଯାଉ ନ ଥିବା ଅଭିଯୋଗ ହୋଇଛି। ପ୍ରଶାସନ ପକ୍ଷରୁ ଗ୍ରାମରେ ପାଇଖାନା ନିର୍ମାଣ ହୋଇଥିବାବେଳେ ନିମ୍ନମାନର କାମ ଯୋଗୁ ପାଇଖାନା ବ୍ୟବହାର ଉପଯୋଗୀ ନାହିଁ। ସେହିପରି ବାଘବେଡ଼ା ଗ୍ରାମରେ ନୂତନ ପୋଖରୀ ଖନନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଗ୍ରାମର ବିଭିନ୍ନ ସମସ୍ୟାକୁ ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ସମାଧାନ କରିବା ପାଇଁ ଗ୍ରାମର ଗଦା ସାନ୍ତା, ଡମ୍ବରୁ ସାନ୍ତା, ଅସ୍ତୁ ସାନ୍ତା, ସଲପୁ ସାନ୍ତା, ଓକିଲ ସାନ୍ତା, କମଳା ସାନ୍ତା, ପାର୍ବତୀ ସାନ୍ତା ପ୍ରମୁଖ ଦାବି କରିଛନ୍ତି। ଏ ନେଇ ଝରିଗାଁ ବିଡିଓ ସତ୍ୟନାରାୟଣ ମେହେରଙ୍କୁ ଯୋଗାଯୋଗ କରିବାରୁ ଆଗାମୀ ଦିନରେ ସେହି ଗାଁକୁ ପକ୍କାରାସ୍ତା କରାଯିବା ନେଇ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି।

Share