ଗାଁକୁ ନାହିଁ ରାସ୍ତା: ଷ୍ଟ୍ରେଚରରେ ବୁହାହେଲା ମୃତଦେହ

ଭବାନୀପାଟଣା,୧୯।୮(ସ୍ବ.ପ୍ର.): ଦାନ ମାଝୀ ଘଟଣା ଭଳି ପୁଣି ଥରେ ଦୁର୍ଗମ ଅଞ୍ଚଳରେ ଆଉ ଏକ ମୃତଦେହକୁ ସମ୍ମାନ ମିଳିନାହିଁ। ଗାଁକୁ ରାସ୍ତା ନ ଥିବାରୁ ୭ କିଲୋମିଟର ପର୍ଯ୍ୟନ୍ତ ମୃତଦେହକୁ ଷ୍ଟ୍ରେଚରରେ ସମ୍ପର୍କୀୟମାନେ ବୋହି ନେଇଥିବା ଦେଖିବାକୁ ମିଳିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲାର ଅପହଞ୍ଚ ଅଞ୍ଚଳ ଭାବେ ଜଣାଶୁଣା ଥୁଆମୂଳ ରାମପୁର ବ୍ଲକରେ। ପୂର୍ବରୁ ଏଭଳି ଅବବ୍ୟବସ୍ଥା ଅନେକ ଥର ଦୃଷ୍ଟିଗୋଚର ହୋଇଥିଲେ ମଧ୍ୟ ପ୍ରଶାସନ ନିଦ ଭାଙ୍ଗୁନାହିଁ।
ସୂଚନାଯୋଗ୍ୟ, ମୁରଲୀମୁହିଁ ଗ୍ରାମର ମଧୁ ମାଝୀ ନାମକ ଜଣେ ୪୫ବର୍ଷୀୟ ବ୍ୟକ୍ତିଙ୍କୁ ଜ୍ୱର ହେବାରୁ ସମ୍ପର୍କୀୟ ତାଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସମ୍ପର୍କୀୟମାନେ ଶୁକ୍ରବାର ସକାଳେ ତାଙ୍କର ମୃତଦେହକୁ ଶବବାହାକ ଗାଡି ଜରିଆରେ ଗାଁକୁ ଆଣୁଥିବା ବେଳେ ରାସ୍ତା ନ ଥିବାରୁ ଶବବାହାକ ଗାଡି ଗାଁକୁ ଯାଇ ନ ପାରି ୭ କିମି ପୂର୍ବରୁ ଛାଡି ଦେଇଥିଲା । ଏହାପରେ ସମ୍ପର୍କୀୟମାନେ ଏକ ଷ୍ଟ୍ରେଚରରେ ମୃତଦେହକୁ ୭ କି.ମି.ବୋହି ଦୁର୍ଗମ ଅଞ୍ଚଳ ରାସ୍ତା ଦେଇ ଗାଁକୁ ଆଣିଥିଲେ।