ଅନୁବନ୍ଧିତ ଦୋକାନରୁ ମିଳୁନି ସେବା

କଟକ ଅଫିସ,୩୧ା୧୨: ରାଜ୍ୟ ସରକାର ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଇ ଅନେକ ଯୋଜନା କରୁଛନ୍ତି। ଏପରି କି ଗରିବ ରୋଗୀଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଏହି ଯୋଜନାର ସୁଫଳ ରୁପାୟନ ସମସ୍ତ ହିତାଧିକାରୀଙ୍କୁ ଠିକ୍‌ରେ ମିଳିପାରୁ ନ ଥିବା ଅଭିଯୋଗ ହେଉଛି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଏସ୍‌ସିସି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଥିବା ରୋଗୀଙ୍କ କ୍ଷେତ୍ରରେ। ଏହି ଯୋଜନାରେ ଅନୁବନ୍ଧିତ ଥିବା ଔଷଧ ଦୋକାନୀ ଇଞ୍ଜେକ୍‌ସନ ଦେଉ ନ ଥିବାରୁ ଭାଗ୍ୟକୁ ଆଦରୀ ରୋଗୀ ବାରଣ୍ଡାରେ ପଡି ରହିଛନ୍ତି।

ରାଜ୍ୟ ସରକାର ବିଏସ୍‌କଓ୍ବୋଇରେ ଏସ୍‌ସିବି ମେଡିକାଲର ଇନ୍‌ଡୋର ରୋଗୀଙ୍କ ପାଇଁ ମାଗଣା ଔଷଧ ବ୍ୟବସ୍ଥା କରିଥିଲେ। ସରକାରଙ୍କ ସହ ଅନୁବନ୍ଧିତ ହୋଇଥିବା ଔଷଧ ଦୋକାନୀ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଉଥିଲେ। ପରବର୍ତ୍ତୀ ସମୟରେ ସେମାନେ ଏବାବଦକୁ ସରକାରଙ୍କଠାରୁ ଟଙ୍କା ପାଇଥାନ୍ତି। ମାତ୍ର ସରକାରଙ୍କ ଉପରେ ଏବାବଦକୁ ସେମାନଙ୍କର ବହୁକୋଟି ଟଙ୍କା ବାକି ରହିଛି। ଟଙ୍କା ନ ମିଳିବାରୁ ସେମାନେ ଆଉ ରୋଗୀଙ୍କୁ ଔଷଧ, ଇଞ୍ଜେକସନ ଦେଉନାହାନ୍ତି। ଫଳରେ ଏସ୍‌ସିବି ମେଡିକାଲ ନ୍ୟୁରୋଲୋଜି ବିଭାଗରେ ଥିବା ବାଲେଶ୍ୱର ଅଞ୍ଚଳର ରୋଗୀ ପ୍ରଭାକର ପାତ୍ର ଦାମୀ ଇଞ୍ଜେକସନ୍‌ କିଣିବାରେ ଅସମର୍ଥ ଥିବାରୁ ଅବସ୍ଥା ଗୁରୁତର ହେବାରେ ଲାଗିଛି। ଏ ନେଇ ସେ କହିଛନ୍ତି, ନ୍ୟୁରୋଲୋଜି ସମସ୍ୟା ଥିବାରୁ ଡାକ୍ତର ମୋତେ ଆଇଭିଆଇଭି ଇଞ୍ଜକ୍‌ସନ ନେବାକୁ କହିଛନ୍ତି। ଏହାର ଦାମ୍‌ ୧୦ ହଜାର ଟଙ୍କା ହୋଇଥିବାରୁ ମୋ ପକ୍ଷରେ କିଣିବା ଅସମ୍ଭବ। ବିଏସ୍‌କଓ୍ବୋଇରେ ସରକାରୀ ଅନୁବନ୍ଧିତ ଔଷଧ ଦୋକାନରୁ ଏହା ମିଳିବା କଥା। ହେଲେ ହସ୍ପିଟାଲ ପରିସରରେ ଥିବା ଉକ୍ତ ଦୋକାନକୁ ଗଲେ ଦୋକାନୀ ଇଞ୍ଜେକସନ ନ ଥିବା କହି ଫେରାଇ ଦେଉଛନ୍ତି। ଏହି ଇଞ୍ଜେକ୍‌ସନ ଯଥାଶୀଘ୍ର ନ ଦେଲେ କୌଣସି ମୁହୂର୍ତ୍ତରେ କିଛି ବି ହୋଇପାରେ ବୋଲି ଡାକ୍ତର କହିଛନ୍ତି। ଏହା ଶୁଣିବା ପରେ ସେ ଓ ତାଙ୍କ ସମ୍ପର୍କୀୟ ଭାଙ୍ଗି ପଡିଛନ୍ତି। ଭାଗ୍ୟକୁ ଆଦରି ହସ୍ପିଟାଲ ବାରଣ୍ଡାରେ ପଡିରହିବା ଛଡା ଅନ୍ୟ ଉପାୟ ନାହିଁ।

Share