ଆବାସ ମିଳିଲାନି, ଭଙ୍ଗା କାନ୍ଥ ନେଲା ଜୀବନ

ଅନୁଗୋଳ, ୧ା୭ (ଅମିତ କୁମାର ସାମଲ): ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନ ଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରଟିଏ ଯୋଗାଇ ଦେବାକୁ ପ୍ରଶାସନ ନିକଟକୁ ବାରମ୍ବାର ଧାଇଁଥିଲେ। ରାଜନେତାମାନଙ୍କୁ ଭେଟି ବହୁବାର ଗୁହାରି କରିଥିଲେ। ହେଲେ ଦୀର୍ଘ ୭ ବର୍ଷ ମଧ୍ୟରେ ପ୍ରଶାସନ ୭୪ ବର୍ଷୀୟା ବୃଦ୍ଧା ନିର୍ମଳା ମାଝିଙ୍କ ଆବାସ ଦୁଃଖ ଦୂର କରିପାରିଲା ନାହିଁ। ଶେଷରେ ଭଙ୍ଗା କାନ୍ଥ ପଡ଼ି ଗତ ବୁଧବାର ନିର୍ମଳାଙ୍କ ମୃତ୍ୟୁ ହୋଇଗଲା। ଅନୁଗୋଳ ଜିଲା ତାଳଚେର ପୌରପରିଷଦର ୨ନଂ. ଓ୍ବାର୍ଡରେ ଘଟିଥିବା ଏପରି ଅଭାବନୀୟ ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଭାଜପା ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ।
ସାମଲ କହିଛନ୍ତି, ବୃଦ୍ଧା ନିର୍ମଳାଙ୍କ ଝିଅ, ପୁଅ ଅନ୍ୟତ୍ର ରହୁଥିବା ବେଳେ ସେ ତାଳଚେର ପୌର ପରିଷଦର ୨ନଂ. ଓ୍ବାର୍ଡର ଏକ ଭଙ୍ଗା ଘରେ ରହି ଆସୁଥିଲେ। ଦୀର୍ଘ ୭ ବର୍ଷ ହେଲା ଆବାସ ଯୋଜନାରେ ଘର ଖଣ୍ଡେ ପ୍ରଦାନ ପାଇଁ ସେ କାଉନସିଲର, ବିଧାୟକ, ଏମ୍‌ପି, ପୌରଅଧିକାରୀ ଓ ଜିଲାପାଳଙ୍କୁ ଭେଟି ଅନୁରୋଧ କରିଥିଲେ। ଏପରି କି ଢେଙ୍କାନାଳ ଏମ୍‌ପିଙ୍କ ଘର ଠାରୁ ମାତ୍ର ୧୦୦ ମିଟର ଦୂରରେ ଏହି ବୃଦ୍ଧା ରହି ଆସୁଥିଲେ ହେଁ ତାଙ୍କୁ ଆବାସ ଯୋଜନାରେ ସାମିଲ କରା ନ ଯିବା ଅତ୍ୟନ୍ତ ଉଦ୍‌ବେଗର ବିଷୟ। ସବୁ ଗରିବ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ ପାଇଁ କେନ୍ଦ୍ର ସରକାର ୨ ଲକ୍ଷ ଘର ମଞ୍ଜୁର କରିଥିଲେ ହେଁ ରାଜ୍ୟ ସରକାର ତାହାକୁ ଦଳୀୟ ଆଧାରରେ ବାଣ୍ଟିବା ସହ ପ୍ରକୃତ ହିତାଧିକାରୀଙ୍କୁ ନ ଦେଇ ଲାଞ୍ଚ ଦେଉଥିବା ଲୋକଙ୍କୁ ଆବାସ ଯୋଗାଇ ଦେଇଛନ୍ତି। ଭାଜପା ପକ୍ଷରୁ ଏକଥା ବାରମ୍ବାର କୁହାଯାଇଛି। କିନ୍ତୁ ବିଜେଡି ସରକାର ବ୍ୟାପକ ପିସି କାରବାର ଚଳାଇଥିବାରୁ ପ୍ରକୃତ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି। ଭଙ୍ଗା କାନ୍ଥ ତଳେ ଚାପି ହୋଇ ନିର୍ମଳାଙ୍କ ମୃତ୍ୟୁ ଘଟଣା ରାଜ୍ୟ ସରକାରର ଦୁର୍ନୀତିର ମୁଖା ଖୋଲିଦେଇଛି। ନିର୍ମଳାଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ଦାୟୀ ଏବଂ ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାଜପା ରାଜ୍ୟ ସମ୍ପାଦକ ସାମଲ ଦାବି କରିଛନ୍ତି।