ହାଇଓ୍ବେ ପାଟ୍ରୋଲିଂ ପାଇଁ ମିଳୁନାହାନ୍ତି ଏସ୍‌ପିଓ

ଭୁବନେଶ୍ୱର,୨୮ା୧୦ (ବ୍ୟୁରୋ): ରାଜ୍ୟରେ ଅଧିକାଂଶ ଦୁର୍ଘଟଣା ଜାତୀୟ ରାଜପଥରେ ହିଁ ଘଟୁଛି। ତେଣୁ ଏହାକୁ ରୋକିବା ପାଇଁ ହାଇଓ୍ବେ ପାଟ୍ରୋଲିଂ ଉପରେ ଗୁରୁତ୍ୱ ଦେବାକୁ ସୁପ୍ରିମ୍‌କୋର୍ଟ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ପୋଲିସକୁ ଯୁଦ୍ଧକାଳୀନ ଭିତ୍ତିରେ ପାଟ୍ରୋଲିଂ କରିବାକୁ କହିଛନ୍ତି। ହେଲେ ଏବେ ପୋଲିସ ପାଟ୍ରୋଲିଂ ପାଇଁ ୨ଟି ସମସ୍ୟା ସୃଷ୍ଟି ହୋଇଛି। ପ୍ରଥମତଃ କୋଭିଡ୍‌ ଯୋଗୁ ଏସ୍‌ପିଓ ଆବେଦନ କରୁ ନ ଥିବା ବେଳେ ୨ୟରେ କମ୍‌ ଭଡ଼ା ମିଳୁଥିବା କାରଣରୁ ପାଟ୍ରୋଲିଂ ପାଇଁ ଗାଡ଼ି ମିଳୁନି।
ପ୍ରକାଶ ଯେ, ହାଇଓ୍ବେ ପାଟ୍ରୋଲିଂ ଭ୍ୟାନ୍‌ରେ ଏସ୍‌ପିଓଙ୍କୁ ନିଯୁକ୍ତି ଦିଆଯିବା କଥା। ଯେଉଁମାନେ ସେନା ଏବଂ ପୋଲିସ ବିଭାଗରୁ ଅବସର ନେଇଥିବେ ସେହିମାନଙ୍କୁ ଏହି ହାଇଓ୍ବେ ପାଟ୍ରୋଲିଂରେ କାର୍ଯ୍ୟ କରିବାକୁ ଦିଆଯିବ। କିନ୍ତୁ କୋଭିଡ୍‌ ଭୟରେ କୌଣସି ବ୍ୟକ୍ତି ଏହି ପଦବୀ ପାଇଁ ଆବେଦନ କରୁନାହାନ୍ତି। କାରଣ ଯେଉଁମାନେ ଏସ୍‌ପିଓ ଭାବେ ନିୟୋଜିତ ହେବେ ସେମାନଙ୍କ ବୟସ ୬୦ ଉପରେ ହେବ। ସେମାନଙ୍କ କାର୍ଯ୍ୟ ରାଜପଥରେ ରହୁଥିବାରୁ ସେମାନେ ଏକାଧିକ ଥର ବାହାର ରାଜ୍ୟର ଡ୍ରାଇଭର ଏବଂ ଭିନ୍ନ ଭିନ୍ନ ଲୋକଙ୍କ ସହ ମିଳାମିଶା କରିବେ। ଯେଉଁଥିପାଇଁ ସେମାନଙ୍କୁ କୋଭିଡ୍‌ ହେବାର ଅଧିକ ସମ୍ଭାବନା ରହିଛି। ବୟସକୁ ଦୃଷ୍ଟିରେ ରଖି ଅନେକ ବ୍ୟକ୍ତି ଏହି ପଦବୀ ପାଇଁ ଆବେଦନ କରୁନାହାନ୍ତି। ଆଉଏକ କାରଣ ହେଉଛି ଏସ୍‌ପିଓଙ୍କୁ ୨୪ଘଣ୍ଟା କାର୍ଯ୍ୟ କରିବାକୁ କୁହାଯାଉଛି। ଯେଉଁଥିପାଇଁ ଅନେକ ଏଥିରେ ଯୋଗଦେବାକୁ ରାଜି ହେଉ ନାହାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ବିଭାଗ ଏସ୍‌ପିଓଙ୍କ କାର୍ଯ୍ୟକୁ ୨୪ଘଣ୍ଟାରୁ ୮ଘଣ୍ଟାକୁ କମ୍‌ କରିବା ସହ ଏନେଇ ମଙ୍ଗଳବାର ଏକ ସାନି ବିଜ୍ଞପ୍ତି ପ୍ରକାଶ କରିଛି।
ସେହିପରି ଦ୍ୱିତୀୟ ସମସ୍ୟା ହେଲା ପାଟ୍ରୋଲିଂ ପାଇଁ ଆବଶ୍ୟକ ଭ୍ୟାନ୍‌ ମିଳୁନି। ରାଜ୍ୟ ପୋଲିସ ଭ୍ୟାନ୍‌ ଭଡ଼ାରେ ଲଗାଇବାକୁ ୨ଥର ଟେଣ୍ଡର କରିଥିଲେ ମଧ୍ୟ କୌଣସି ଗାଡ଼ି ମାଲିକ ଆବେଦନ କରୁନାହାନ୍ତି। ଯେଉଁଥିପାଇଁ ପୋଲିସ ପୁଣି ତୃତୀୟ ଥର ମଙ୍ଗଳବାର ସାନି ନୋଟିସ ବାହାର କରିଛି। ଏଥର ଟେଣ୍ଡରରେ କିଛିଟା ପରିବର୍ତ୍ତନ କରିଛି ପୋଲିସ। ହାଇଓ୍ବେ ପାଟ୍ରୋଲିଂ ପାଇଁ ଭଡ଼ାକୁ ଲଗାଉଥିବା ଗାଡ଼ି ମାଲିକଙ୍କୁ ପୂର୍ବରୁ ମାସକୁ ଭଡ଼ା ଆକାରରେ ୩୦ହଜାର ଟଙ୍କା ଦେବାକୁ କୁହାଯାଇଥିଲା। ଏଥର ଏହି ଭଡ଼ାକୁ ୭୦ହଜାରକୁ ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ଦ୍ୱାରା ଭ୍ୟାନ୍‌ ପାଇଁ ଗାଡି ମିଳିପାରିବ ବୋଲି ପୋଲିସ ବିଭାଗ ଆଶା ରଖିଛି।

Share