Categories: ଜାତୀୟ

ଜି-୨୩ ବା ୨୪ କିଛି ନାହିଁ, ସୋନିଆଙ୍କ ନେତୃତ୍ୱରେ କଂଗ୍ରେସ ଗୋଟିଏ: ବିରପ୍ପା ମୋଇଲି

ନୂଆଦିଲ୍ଲୀ,୫ ।୩: କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ଜି-୨୩କୁ ନେଇ ବରିଷ୍ଠ ନେତା ବିରପ୍ପା ମୋଇଲି ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କଂଗ୍ରେସରେ ଜି-୨୩ ବା ୨୪ ବୋଲି କିଛି ନାହିଁ । ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଗୋଟିଏ । ଯଦି କାହାର କିଛି ଅଭିଯୋଗ ରହିଥାଏ ତେବେ ସେ ସବୁବେଳେ ତାହା ଶୁଣନ୍ତି । ସୂଚନାଯୋଗ୍ୟ, ଗତ କିଛି ମାସ ହେବ କଂଗ୍ରେସରେ ସବୁକିଛି ଠିକ୍ ନାହିଁ । ଦଳ ମଧ୍ୟରେ କଳହ ଲାଗି ରହିଛି । ଆଉ ଏହା ବେଳକୁ ବେଳ ବଢିବାରେ ଲାଗିଛି । ଏବେ କେତେଜଣ ନେତା ଖୋଲାଖୋଲି ଭାବେ ଦଳର ନୀତିକୁ ବିରୋଧ ବି କରୁଛନ୍ତି । ଆଉ ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ ଜି-୨୩ ବୋଲି କୁହାଯାଉଛି । ଯାହାକୁ ନେଇ ସାରା ଦେଶରେ ଆଲୋଚନା ହେଉଛି । ଏହା ପୂର୍ବରୁ ସୋମବାର ଜମ୍ମୁରେ ହୋଇଥିବା ଜି-୨୩ ନେତାଙ୍କ ବୈଠକରେ ନିଜକୁ ଅଲଗା କରି ବିରପ୍ପା ମୋଇଲି ଦଳର ଭିତିରି ମତଭେଦ ସାର୍ବଜନିକ ହେବାକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଏହାସହ ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ପାର୍ଟିର ଅଧ୍ୟକ୍ଷ ପଦରେ ବସାଇବା ପ୍ରସ୍ତାବକୁ ସମର୍ଥନ ଦେଇଥିଲେ । ମୋଇଲି ସେହି ୨୩ ଜଣ ନେତାଙ୍କ ମଧ୍ୟରେ ସାମିଲ ଥିଲେ ଯେଉଁମାନେ ଗତବର୍ଷ ଅଗଷ୍ଟରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଥିଲେ । ଏହାପରେ ହିଁ ଏହି ନେତାଙ୍କୁ ଜି-୨୩ ବୋଲି କୁହାଯାଉଛି ।

Share