ଲକ୍ଷଣହୀନ, ଗର୍ଭବତୀ, ଶିଶୁଙ୍କ ପାଇଁ ବାରଣ

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ହୋମ୍‌ ଆଇସୋଲେଶନରେ ରହୁଥିବା କରୋନା ଆକ୍ରାନ୍ତ କିପରି ଫାଭିପିରାଭିର ଔଷଧ ଖାଇବେ, ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆବଶ୍ୟକ ପରାମର୍ଶ ଦେଇଛନ୍ତି। ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ କଟକ ଏସ୍‌ସିବିର ମେଡିସିନ ବିଭାଗ ମୁଖ୍ୟ ଡା. ଜୟନ୍ତ ପଣ୍ଡା କହିଛନ୍ତି ଯେ, ଫାଭିପିରାଭିର କୋଭିଡ୍‌-୧୯ ଭୂତାଣୁର ସଂଖ୍ୟା ଓ ପ୍ରଭାବ କମାଇ ଥାଏ। ରୋଗୀଙ୍କୁ ପ୍ରାଥମିକ ଅବସ୍ଥାରେ ଏହି ଔଷଧ ଦେଲେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାର ସମ୍ଭାବନା ରହିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ଠିକ୍‌ ଭାବେ ସେବନ କଲେ ଜ୍ୱର, କାଶର ପ୍ରାଦୁର୍ଭାବ କମିଯାଇପାରିବ। ବର୍ତ୍ତମାନ କରୋନା ରୋଗୀଙ୍କୁ ୫ଦିନ ପାଇଁ ଫାଭିପିରାଭିର ଦେବା ବ୍ୟବସ୍ଥା କରାଯାଇଛି। ଲକ୍ଷଣ ନ ଥିବା ରୋଗୀଙ୍କୁ ଏହା ଦିଆଯାଏ ନାହିଁ। କେବଳ ଲକ୍ଷଣଯୁକ୍ତ ରୋଗୀଙ୍କୁ ଦିଆଯାଇପାରିବ। ସେହିପରି ଗର୍ଭବତୀ, ଛୋଟ ପିଲା ଫାଭିପିରାଭିର ଖାଇପାରିବେ ନାହିଁ। ରୋଗ ଚିହ୍ନଟ ହେବାମାତ୍ରେ ପ୍ରଥମ ଦିନରୁ ଆକ୍ରାନ୍ତଙ୍କୁ ଫାଭିପିରାଭିର ଦିଆଯାଇପାରିବ। ଏହାକୁ ଖାଇଲା ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିଲେ ଡାକ୍ତରଙ୍କୁ ଜଣାନ୍ତୁ। ପତଳା ଝାଡ଼ା ହେଲେ, ପେଟ କାଟିଲେ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ବୋଲି ଡା. ପଣ୍ଡା କହିଛନ୍ତି।
ଅଶ୍ୱିନୀ ହସ୍ପିଟାଲର ଡା. ସମ୍ପଦ ଦାସ କହିଲେ, ରୋଗୀଙ୍କ ଲିଖିତ ସମ୍ମତି ପରେ ହିଁ ଏହି ଔଷଧ ଦିଆଯିବ। ୫ଦିନ ମଧ୍ୟରୁ ପ୍ରଥମ ଦିନ ୯ଟି ବଟିକା ସକାଳେ ଓ ୯ଟି ବଟିକା ସନ୍ଧ୍ୟାବେଳେ ଖାଇବାକୁ ହେବ। ସେହିପରି ୨ୟ ଦିନରୁ ୫ମ ଦିନ ପର୍ଯ୍ୟନ୍ତ ୪ଟି ବଟିକା ସକାଳେ ଓ ୪ଟି ବଟିକା ସନ୍ଧ୍ୟାବେଳେ ଖାଇବାକୁ ହେବ। ଫାଭିପିରାଭିର ବା କୌଣସି ଔଷଧ ଖାଇଲେ ମଦ୍ୟପାନ ନ କରିବା ଉଚିତ। ଆଲ୍‌କହଲ ସହିତ ବିଭିନ୍ନ ଔଷଧର ରାସାୟନିକ ପ୍ରତିକ୍ରିୟା ହେଉଥିବାରୁ ମଦ୍ୟପାନ ନିରାପଦ ନୁହେଁ। ତେବେ ଫାଭିପିରାଭିର ଖାଇବାବେଳେ କେଉଁ କେଉଁ ଔଷଧ ଖାଇହେବ ସେ ସମ୍ପର୍କରେ ଡା. ଦାସ ସୂଚନା ଦେଇଛନ୍ତି। ଏହି ଔଷଧ ଖାଉଥିବା ରୋଗୀମାନେ ଅନ୍ୟାନ୍ୟ ଔଷଧ ଯଥା କରୋନା ସମୟରେ ସେବନ କରାଯାଉଥିବା ଆଣ୍ଟିବାୟୋଟିକ, ଭିଟାମିନ ଇତ୍ୟାଦି ଖାଇପାରିବେ। ସେହିପରି ଲୋକମାନେ ପୂର୍ବରୁ ନିୟମିତ ଖାଉଥବା ଔଷଧ ଯେପରିକି ଗ୍ୟାଷ୍ଟ୍ରିକ ଔଷଧ, ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଔଷଧ ଆଦି ଖାଇପାରିବେ ବୋଲି ଡା. ଦାସ ସୂଚନା ଦେଇଛନ୍ତି।

Share