ଢେଙ୍କାନାଳ ଅଫିସ, ୨୨।୯: ବ୍ୟାସକବିଙ୍କୁ ବାଦ୍ ଦେଇ ଅସମ୍ପୂର୍ଣ୍ଣ ବାଣୀଭଣ୍ଡାର। ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ଏହି ମହାନ୍ ଯୋଗଜନ୍ମାଙ୍କ କୀର୍ତ୍ତି, କୃତିତ୍ୱକୁ ଶବ୍ଦରେ ପରିପ୍ରକାଶ କରାଯାଇ ନ ପାରେ। ଓଡ଼ିଶା ସାହିତ୍ୟର ଭଗୀରଥ ଭାବେ ପରିଚିତ କବିଙ୍କ ବିଷୟରେ ଜାଣିବାକୁ ଆଜି ବି ସାହିତ୍ୟପ୍ରେମୀଙ୍କ ମଧ୍ୟରେ ରହିଛି ସେତିକି ଉତ୍କଣ୍ଠା। ହେଲେ ଫକୀରମୋହନଙ୍କ ସାହିତ୍ୟ ସାଧନାର ଅନ୍ତୁଡ଼ିଶାଳ ଢେଙ୍କାନାଳରେ ତାଙ୍କ ସ୍ମୃତିରକ୍ଷା ପାଇଁ ପ୍ରଶାସନ ପାଖରେ ସମୟ ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ‘ବ୍ୟାସକବି ସ୍ମୃତିସଦନ’ ଭୁଶୁଡ଼ିବାକୁ ବସିଥିବାବେଳେ ବହୁମୂଲ୍ୟ ପୁସ୍ତକ ଖତ ଖାଉଛି। ବ୍ୟାସକବି ଜୟନ୍ତୀରେ ତାଙ୍କ ଫଟୋଚିତ୍ରରେ କେବଳ ଫୁଲମାଳ ଦେଇ ଅଧିକାରୀମାନେ ଦାୟିତ୍ୱ ସାରି ଦେଉଥିବାବେଳେ ଅଦ୍ୟାବଧି ସାଧନାପୀଠରେ କବିଙ୍କ ପ୍ରତିମୂର୍ତ୍ତିଟିଏ ନିର୍ମାଣ ହୋଇ ନ ପାରିବା ପରିତାପର ବିଷୟ ବୋଲି ସାଧାରଣରେ ଆଲୋଚନା ହେଉଛି।
ଢେଙ୍କାନାଳରେ ରହିଛି ବ୍ୟାସକବିଙ୍କ ସାହିତ୍ୟ ସାଧନା ସହିତ ଜଡ଼ିତ ଅଜସ୍ର ସ୍ମୃତି। ବିଶିଷ୍ଟ ସ୍ତମ୍ଭକାର ତଥା ଗବେଷକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କର ‘ଢେଙ୍କାନାଳରେ ଫକୀର ମୋହନ’ ଲେଖାରେ ଏ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି। ଓଡ଼ିଆ ସାହିତ୍ୟର ଏହି ପ୍ରଜ୍ଞାପୁରୁଷ ୧୮୭୭ରୁ ୧୮୮୩ ପର୍ଯ୍ୟନ୍ତ ଢେଙ୍କାନାଳରେ ରହଣି କରିଥିଲେ। ଢେଙ୍କାନାଳ ଗଡ଼ଜାତ ରାଜ୍ୟର ସେ ଥିଲେ ସହକାରୀ ପରିଚାଳକ ବା ଆସିଷ୍ଟାଣ୍ଟ ମ୍ୟାନେଜର। ୧୦୦ ଟଙ୍କା ଦରମାରେ ସେ କାର୍ଯ୍ୟ କରୁଥିଲେ। ସେହି ସମୟରେ ଶିକ୍ଷା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଢେଙ୍କାନାଳ ଗଡ଼ଜାତ ରାଜ୍ୟ ଓଡ଼ିଶାରେ ଥିଲା ଅଗ୍ରଣୀ। ତେବେ କୌଣସି ସରକାରୀ ବଙ୍ଗଳା ନ ଥିବାରୁ ତତ୍କାଳୀନ ରାଜାଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ରାଜପ୍ରାସାଦର ଉତ୍ତର ଦିଗରେ ଫକୀରମୋହନଙ୍କ ପାଇଁ ଏକ ବଙ୍ଗଳା ତୋଳାଯାଇଥିଲା। ସେଠାରେ ସ୍ତ୍ରୀଙ୍କ ସହ ରହୁଥିଲେ ବ୍ୟାସକବି। ଏବେ ସେହିସ୍ଥାନରେ ଉପଜିଲାପାଳଙ୍କ ସରକାରୀ ବାସଭବନ ନିର୍ମାଣ କରାଯାଇଛି। ସେଠାରେ ରହଣି ସମୟରେ ବ୍ୟାସକବିଙ୍କ ଏକମାତ୍ର ପୁତ୍ର ସନ୍ତାନର ଦେହାନ୍ତ ହୋଇଯାଇଥିଲା, ଯାହା କବି ଏବଂ ତାଙ୍କ ସ୍ତ୍ରୀଙ୍କୁ ମ୍ରିୟମାଣ କରିଦେଇଥିଲା। ପୁତ୍ରଙ୍କୁ ହରାଇବା ଦୁଃଖରୁ ବାହାରି ସେ ପାଦ ବଢ଼ାଇଥିଲେ ସାହିତ୍ୟ ସାଧନା ଆଡ଼କୁ। ଏହାପରେ ସେ ଅନୁବାଦ କରିଥିଲେ ‘ରାମାୟଣ’ ଏବଂ ‘ମହାଭାରତ’। ତାଙ୍କର ସାରସ୍ବତ ସୃଷ୍ଟିର ଉନ୍ମେଷ ଢେଙ୍କାନାଳରୁ ହିଁ ଆରମ୍ଭ ହୋଇଥିଲା। ୧୮୮୩ରେ ସେ ନିଜ ପଦବୀରୁ ଇସ୍ତଫା ଦେଇ ଢେଙ୍କାନାଳ ଛାଡ଼ିଥିଲେ।
ତେବେ ଜିଲା ବନଖଣ୍ଡ କାର୍ଯ୍ୟାଳୟ ପଛପାଖରେ ଥିବା ଆଜ୍ବେଷ୍ଟସ ଘରକୁ ପ୍ରଶାସନ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଫକୀର ମୋହନଙ୍କ ସାଧନାସ୍ଥଳୀ ଭାବେ ଚିହ୍ନଟ କରାଯାଇଛି। ୨୦୦୬ ଅଗଷ୍ଟ ୧୫ରେ ସେଠାରେ ଲୋକାର୍ପିତ ହୋଇଥିଲା ‘ବ୍ୟାସକବି ସ୍ମୃତିସଦନ’। ପରବର୍ତ୍ତୀ ସମୟରେ ଏହାକୁ ଜିଲା ପାଠାଗାରରେ ରୂପାନ୍ତରିତ କରାଯାଇ ବହୁ ମୂଲ୍ୟବାନ ପୁସ୍ତକ ରଖାଯାଇଥିଲା। ସେଠାରେ ଥିବା ଫକୀର ମୋହନଙ୍କ ଫଟୋଚିତ୍ର, ସେ ବ୍ୟବହାର କରୁଥିବା ଟେବୁଲ, ଚୌକି ଏବଂ ଷ୍ଟୁଲ୍ ଆଜି ବି ତାଙ୍କ ଅଲିଭା ସ୍ବାକ୍ଷର ବହନ କରୁଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ବ୍ୟାସକବିଙ୍କ ସାଧନାସ୍ଥଳୀ ଏବେ ଜରାଜୀର୍ଣ୍ଣ। ଘର କାନ୍ଥ ଦବିଗଲାଣି। ଆଜବେଷ୍ଟସ୍ ଛାତ ବିପଦସଙ୍କୁଳ ଅବସ୍ଥାରେ। ବାରମ୍ବାର ଦାବି ସତ୍ତ୍ୱେ ଜିଲା ସଂସ୍କୃତି ବିଭାଗ ପକ୍ଷରୁ କବିଙ୍କ ପ୍ରତିମୂର୍ତ୍ତିଟିଏ ନିର୍ମାଣ ହୋଇପାରୁନାହିଁ। ଉପଯୁକ୍ତ ରକ୍ଷଣାବେକ୍ଷଣ କରା ନ ଗଲେ ବର୍ଷ କେଇଟାରେ ‘ବ୍ୟାସକବି ସ୍ମୃତିସଦନ’ ମାଟିରେ ମିଶିଯିବ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା ବ୍ୟକ୍ତ କଲେଣି।
ଏ ସଂକ୍ରାନ୍ତରେ ଜିଲା ସଂସ୍କୃତି ଅଧିକାରୀ ପ୍ରିୟମ୍ବଦା ବେହେରା କୁହନ୍ତି, ‘ବ୍ୟାସକବି ସ୍ମୃତି ସଦନ’ ଐତିହ୍ୟ କୀର୍ତ୍ତିରାଜି ହୋଇଥିବାରୁ ଏହାର ରକ୍ଷଣାବେକ୍ଷଣ ‘ଇନ୍ଟାକ୍’ କରିବା ପାଇଁ ସ୍ବୀକୃତି ପାଇଛି। ଏ ସଂକ୍ରାନ୍ତରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଉକ୍ତ ସଂସ୍ଥାକୁ ଅବଗତ କରାଯାଇଛି। ବ୍ୟାସକବିଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଆଲୋଚନା ହୋଇଛି। ଜିଲାପାଳଙ୍କ ସହ ଏ ସମ୍ପର୍କରେ ବିଚାରବିମର୍ଷ କରି ପଦକ୍ଷେପ ନିଆଯିବ।