କରୋନା ମାର୍ଗଦର୍ଶିକାକୁ ଫୁ: ଭାଜପା ନେତାଙ୍କ ନାତୁଣୀ ନିର୍ବନ୍ଧରେ ୬ ହଜାରରୁ ଅଧିକ ଅତିଥି

ସୁରଟ,୨।୧୨: ଗୁଜରାଟରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ଏଥିରୁ ଦୂରେଇ ରହିବା ପାଇଁ କଡ଼ା ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ ମାର୍ଗଦର୍ଶିକାକୁ ସାଧାରଣ ଲୋକେ ପାଳନ କରୁଥିବାବେଳେ ରାଜନୈତିକ ନେତା ଏହାକୁ ଖୋଲା ଖୋଲି ଉଲ୍ଲଂଘନ କରୁଛନ୍ତି। ନେତାଙ୍କ ପାଇଁ ସରକାରୀ ଆଇନର ଅବମାନନା କରିବା ଏକ ସାଧାରଣ କଥା ପାଲଟିଛି। ତାପି ଜିଲାର ଡୋସଓ୍ବାଡ଼ା ଗାଁରେ ଭାଜପାର ପୂର୍ବତନ ରାଜ୍ୟ ମନ୍ତ୍ରୀ କାନ୍ତି ଗାମିତଙ୍କ ନାତୁଣୀଙ୍କ ନିର୍ବନ୍ଧରେ ୬ ହଜାରରୁ ଅଧିକ ଅତିଥି ଯୋଗଦେଇ ମିଳିତ ଭାବେ ଗରବା ନୃତ୍ୟ କରିଥିଲେ। ଏହାର ୩୦ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏନେଇ ରାଜ୍ୟ କଂଗ୍ରେସ ପ୍ରବକ୍ତା ମନୀଷ ଦୋଶୀ ଜିଲାପାଳ କାହିଁକି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସାଧାରଣ ଲୋକେ ଆଇନର ଉଲ୍ଲଂଘନ କଲେ ଜରିମାନା ଆଦାୟ କରାଯାଉଛି। ମାତ୍ର ରାଜନେତାଙ୍କ କ୍ଷେତ୍ରରେ ପାତର ଅନ୍ତର କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ କାନ୍ତିଙ୍କୁ ପଚରା ଯିବାରୁ ସେ କହିଛନ୍ତି ଯେ, ଆମ ଦ୍ୱାରା ଭୁଲ୍‌ ହୋଇଛି। ଏହାକୁ ଆମେ ସ୍ବୀକାର କରୁଛୁ।

Share