Categories: ଜାତୀୟ

ଏନ୍‌ଏସ୍‌ଓ ସହ କୌଣସି ଦେଣନେଣ ହୋଇନି

ନୂଆଦିଲ୍ଲୀ, ୧୦ା୮: ଇସ୍ରାଏଲର ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ସ୍ପାଏଓ୍ବେର ପେଗାସସ୍‌କୁୁ କେନ୍ଦ୍ର ସରକାର କିଣି ଏହା ମାଧ୍ୟମରେ ଗୁପ୍ତଚରଗିରି କରିଥିବା ଅଭିଯୋଗର ତଦନ୍ତ ଦାବିରେ ପାର୍ଲାମେଣ୍ଟରେ ଅଚଳାବସ୍ଥା ସୃଷ୍ଟି ହୋଇଥିବାବେଳେ ଏ ବାବଦରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ପ୍ରତିକ୍ରିୟା ରଖାଯାଇଛି। ଏନ୍‌ଏସ୍‌ଓ ସହ କୌଣସି ପ୍ରକାର ଦେଣନେଣ ହୋଇନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ପାର୍ଲାମେଣ୍ଟରେ ଉତ୍ତର ରଖିଛନ୍ତି। କେନ୍ଦ୍ର ସରକାର ଏନ୍‌ଏସ୍‌ଓ ସହ ଟ୍ରାଞ୍ଜାକଶନ୍‌ କରିଛନ୍ତି କି ନାହିଁ ବୋଲି ସିପିଏମ୍‌ ଏମ୍‌ପି ଡ. ଭି. ଶିବଦାସନ ପଚାରିଥିଲେ। ଏକ ଲିଖିତ ଉତ୍ତର ପଢ଼ି ଅଜୟ ଭଟ୍ଟ କହିଥିଲେ, ମନ୍ତ୍ରଣାଳୟ ପକ୍ଷରୁ ଏନ୍‌ଏସ୍‌ଓ ସହ କୌଣସି ପ୍ରକାର ଦେଣନେଣ ହୋଇନାହିଁ। ଦେଶବାସୀଙ୍କ ଉପରେ ବେଆଇନ ଭାବେ ଗୁପ୍ତଚରଗିରି କରାଯାଇ ନ ଥିବା କେନ୍ଦ୍ର ସଫେଇ ଦେଇଆସୁଥିଲେ ହେଁ ତାହା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ଆଇନ ଅନୁଯାୟୀ ଗୁପ୍ତଚରଗିରି ଏକ ଜଟିଳ ପ୍ରକ୍ରିୟା। ତାହା ସ୍ବରାଷ୍ଟ୍ର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର କାମ। ତେଣୁ ଏ ବାବଦରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି।

Share