Categories: ଅନୁଗୋଳ

ହେଉନି ବଡ଼ବାବୁଙ୍କ ବଦଳି

ଅନୁଗୋଳ ଅଫିସ, ୨୦।୧୨: ଅନୁଗୋଳ ଜିଲା କାର୍ଯ୍ୟାଳୟରେ ପାଳନ ହେଉଛି ସରକାରୀ ନିର୍ଦ୍ଦେଶନାମା। ବଦଳି ହେଉଛି ବଡ଼ବାବୁମାନଙ୍କର। ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟରେ ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରାଯାଉଛି। ଏଠାରେ କେଉଁ ବଡ଼ବାବୁ ୩୦ ବର୍ଷ ରହିଲେଣି ତ ଆଉ କିଏ ୧୩ ବର୍ଷ। ଅନ୍ୟସ୍ଥାନକୁ ସେମାନଙ୍କ ବଦଳି ତ ଦୂରର କଥା, ବିଭାଗ ମଧ୍ୟ ପରିବର୍ତ୍ତନ କରାଯାଉ ନାହିଁ। ଏପରି କି ବେଳେବେଳେ ପ୍ରସ୍ତୁତ ହେଉଥିବା ବଦଳି ଫାଇଲକୁ ଚାପ ପକାଇ ଟେବୁଲ ତଳେ ପୂରାଇ ଦିଆଯାଉଛି।
ସରକାରୀ ନିୟମ ଅନୁଯାୟୀ, ଗୋଟିଏ ଚୌକିରେ କୌଣସି ବ୍ୟକ୍ତି ୩ ବର୍ଷରୁ ଅଧିକ ଓ ଗୋଟିଏ ଷ୍ଟେଶନ୍‌ (ବର୍ତ୍ତମାନ କାର୍ଯ୍ୟ କରୁଥିବା ସ୍ଥାନ)ରେ ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ରହିପାରିବେ ନାହିଁ। ସେମାନଙ୍କୁ ଅନ୍ୟତ୍ର ବଦଳି କରାଯିବ। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହାକୁ ବେଖାତିର କରାଯାଉଛି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କ କାର୍ଯ୍ୟାଳୟରେ ଥିବା ସେକ୍ସନ୍‌ ଅଫିସର ଜ୍ୟୋତିରଞ୍ଜନ ପଟ୍ଟନାୟକ ୨୦୦୭ରେ ବରିଷ୍ଠ କିରାଣି ଭାବେ ଏଠାରେ ଯୋଗ ଦେଇଥିଲେ। ୨୦୧୦ରେ ପଦୋନ୍ନତି ପାଇ ସେ ସେକ୍‌ସନ୍‌ ଅଫିସର ହୋଇଥିଲେ। ହେଲେ ୧୩ ବର୍ଷ ହେଲା ଏହି ବଡ଼ବାବୁ ଏଠାରେ ଗାଦିମାଡ଼ି ବସିରହିଥିଲେ ମଧ୍ୟ ତାଙ୍କୁ ବଦଳି କରିବାକୁ ସ୍ବାସ୍ଥ୍ୟ ପ୍ରଶାସନ ନିଷ୍ପତ୍ତି ନେଇପାରୁ ନାହିଁ। ସିନିୟର ଆସିଷ୍ଟାଣ୍ଟ ଏଡିଏମ୍‌ଓ (ପରିବାର କଲ୍ୟାଣ)ରେ କାର୍ଯ୍ୟ କରୁଥିବା ରଞ୍ଜନ କୁମାର ସାହୁ ୧୯୯୧ ମସିହାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରହିଛନ୍ତି। ୩୦ ବର୍ଷ ଏଠାରେ ରହି ସାରିଥିଲେ ମଧ୍ୟ ତାଙ୍କୁ ବଦଳି କରାଯାଉ ନାହିଁ। ସେହିପରି ୨୦୧୨ରୁ ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରା, ୨୦୧୩ରୁ ଜୁନିୟର ଆସିଷ୍ଟାଣ୍ଟ ପ୍ରଶାନ୍ତ କୁମାର ପାଣି, ୨୦୧୩ରୁ ସିନିୟର ଆସିଣ୍ଟାଷ୍ଟ ଭାବେ ନୃସିଂହ ନାଏକ, ୨୦୧୩ରୁ ଜୁନିୟର ଆସିଷ୍ଟାଣ୍ଟ ସ୍ନେହଲତା ସାହୁ, ୨୦୧୪ରୁ ଜୁନିୟର ଆସିଷ୍ଟାଣ୍ଟ ଅଙ୍କିତା ସେଠୀ, ୨୦୧୭ରୁ ସିନିୟର ଆସିଷ୍ଟାଣ୍ଟ ଦୀପ୍ତି ରଞ୍ଜନ ଦାସ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଜିଲାର ୩ଟି ଉପଖଣ୍ଡ ଓ ୮ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଜୁନିୟର ଆଶିଷ୍ଟାଣ୍ଟ ଏବଂ ସିନିୟର ଆସିଷ୍ଟାଣ୍ଟମାନେ ଅନ୍ୟତ୍ର ବଦଳି ହୋଇ ଯିବାକୁ ୧୦ ବର୍ଷ ହେବ ଆବେଦନ କରୁଛନ୍ତି। କାହାର ପାରିବାରିକ ସମସ୍ୟା ଅଛି ତ ଆଉ କାହାର ମେଡିକାଲ, ବ୍ୟକ୍ତିଗତ ଅସୁବିଧା ଥିବା ଦର୍ଶାଉନ୍ତି। କିନ୍ତୁ ଏହାକୁ ମେଡିକାଲ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁ ନ ଥିବା ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ସୂଚନା ଦେଇଛନ୍ତି।